ନୂଆଦିଲ୍ଲୀ: ଏକଦା ୨ଜି ମୋବାଇଲ୍‌ ସେବା ପାଇବାକୁ ସଂଘର୍ଷ କରୁଥିବା ଭାରତର ପ୍ରତିଟି ଜିଲ୍ଲାରେ ୫ଜି ପହଞ୍ଚିପାରିଛି। ଭାରତରେ ଏବେ ୧ଜିବି ଡାଟାର ଦାମ୍ ଚା’ କପ୍‌ ଦରଠାରୁ କମ୍ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଯଶୋଭୂମିରେ ଭାରତ ମୋବାଇଲ୍‌ କଂଗ୍ରେସ ୨୦୨୫କୁ ଉଦ୍‌ଘାଟନ କରି ସେ କହିଥିଲେ ଯେ ମୁଁ ପ୍ରଥମେ ଯେତେବେଳେ ‘ମେକ୍ ଇନ୍ ଇଣ୍ଡିଆ’ ବିଷୟରେ କହିଥିଲି, କିଛି ଲୋକ ଚାଚ୍ଛଲ୍ୟ କରିଥିଲେ। ମେଡ୍ ଇନ୍ ଇଣ୍ଡିଆ ୪ଜି ଷ୍ଟାକ୍ କାର୍ଯ୍ୟକାରୀ କରି ଭାରତ ବିଶ୍ବର ମାତ୍ର ପାଞ୍ଚଟି ଦେଶ ଥିବା ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି। ସାରା ଦୁନିଆ ଭାରତର କ୍ଷମତାକୁ ଜାଣୁଛି ବୋଲି ସେ କହିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆମ ପାଖରେ ଦୁନିଆର ଦ୍ବିତୀୟ ବଡ଼ ଟେଲିକମ୍ ଓ ୫ଜି ବଜାର ରହିଛି। ସାଇବର୍‌ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ସେଭଳି ଠକେଇର ମୁକାବିଲା କରିବାକୁ କଠୋର ଆଇନ ପ୍ରଣୟନ କରାଯାଇଛି। ମୋବାଇଲ୍‌ ଉତ୍ପାଦନ ପାଇଁ ଚିପ୍‌ ସେଟ୍‌, ବ୍ୟାଟେରିଠାରୁ ଆରମ୍ଭ କରି ଡିସ୍‌ପ୍ଲେ ଓ ସେନ୍‌ସର୍‌ ପର୍ଯ୍ୟନ୍ତ ଉତ୍ପାଦନ ଦେଶ ଭିତରେ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ୨୦୧୪ରେ ୧ ଜିବି ଡାଟା ଦାମ୍ ୨୮୭ ଟଙ୍କା ଥିଲା। ବର୍ତ୍ତମାନ ସେହି ସମାନ ୧ ଜିବି ଡାଟା ମାତ୍ର ୯ ଟଙ୍କା ୧୧ ପଇସାରେ ମିଳୁଛି। ଅନ୍ୟ ଦେଶରୁ ପ୍ରଯୁକ୍ତିବିଦ୍ୟା ଆଣୁଥିବା ଭାରତ ଏବେ ନିଜେ ପ୍ରଯୁକ୍ତି ତିଆରି କରୁଥିବା ସେ କହିଛନ୍ତି।