ଭୁବନେଶ୍ବର: ଓଡ଼ିଶାରେ ପଞ୍ଚମ ପିଢ଼ି (୫ଜି) ମୋବାଇଲ ସେବା ପ୍ରଦାନକୁ ଆଜି ଦୁଇବର୍ଷ ପୂରଣ ହୋଇଛି। ୨ ବର୍ଷ ତଳେ ୨୦୨୩ ଜାନୁଆରି ୫ ତାରିଖରେ ତତ୍କାଳୀନ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ଏହି ସେବାକୁ ଆନୁଷ୍ଠାନିକଭାବେ ଆରମ୍ଭ ଘୋଷଣା କରିଥିଲେ। ଭୁବନେଶ୍ବର ଓ କଟକର କେତେକ ସ୍ଥାନରେ ସେହିଦିନ ଏହି ସେବାକୁ ସକ୍ରିୟ କରାଯାଇଥିଲା। ୨ ବର୍ଷ ମଧ୍ୟରେ ସାରା ରାଜ୍ୟରେ ଏହି ସେବା ଉପଲବ୍ଧ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସେଦିନ ଘୋଷଣା କରିଥିଲେ। ଓଡ଼ିଶାରେ ଏହି ସେବା ଆରମ୍ଭ ହେଲେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ କୃଷି, ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି କୁହାଯାଇଥିଲା। ଟେଲିକମ୍ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୫ଜି ସେବା ଆରମ୍ଭ ହେବା ଦିନ(୨୦୨୩ ଜାନୁଆରି ୫) ୬୨୪ଟି ବିଟିଏସ୍ ଲାଗିଥିଲା। ୨୦୨୩ ଡିସେମ୍ବର ୩୧ ବେଳକୁ ଏହା ୧୧,୨୬୪ରେ ପହଞ୍ଚିଥିଲା। କିନ୍ତୁ ୨୦୨୪ରେ ବିଟିଏସ୍ ସ୍ଥାପନ ସଂଖ୍ୟା ଅତ୍ୟନ୍ତ ଧିମା ହୋଇଯାଇଛି। ୨୦୨୪ ଡିସେମ୍ବର ୩୧ରେ ରାଜ୍ୟରେ ୫ଜି ବିଟିଏସ୍ ସଂଖ୍ୟା ୧୨,୬୭୮ ରହିଛି। ୨୦୨୩ ମସିହାରେ ୫ଜି ସେବା ପ୍ରଦାନ ପାଇଁ ଯେଭଳି ଆଗ୍ରହର ସହିତ ବିଟିଏସ୍ କମ୍ପାନିଗୁଡ଼ିକ ସ୍ଥାପନ କରିଥିଲେ ତାହା ୨୦୨୪ ମସିହାରେ ଦେଖିବାକୁ ମିଳିନାହିଁ। ଡଟ୍ର ତଥ୍ୟକୁ ଦେଖିଲେ ୨୦୨୪ ମସିହାରେ ୧୪୧୪ଟି ୫ଜି ବିଟିଏସ୍ ଓଡ଼ିଶାରେ ସ୍ଥାପନ ହୋଇଛି।
ଓଡ଼ିଶାରେ ବର୍ତ୍ତମାନ ରାଷ୍ଟ୍ରାୟତ୍ତ ବିଏସ୍ଏନ୍ଏଲ୍କୁ ମିଶାଇ ମୋଟ ୪ଟି କମ୍ପାନି ଟେଲିକମ୍ ସେବା ପ୍ରଦାନ କରୁଛନ୍ତି। କିନ୍ତୁ ସେଥିରୁ ଦୁଇଟି ଘରୋଇ କମ୍ପାନି ୫ଜି ମୋବାଇଲ ସେବା ପ୍ରଦାନ କରୁଛନ୍ତି। ସେମାନେ ହେଲେ ଜିଓ ଏବଂ ଏୟାରଟେଲ। ଟେଲିକମ୍ ଶିଳ୍ପ ସହ ଜଡ଼ିତ ଜଣେ ବିଶେଷଜ୍ଞଙ୍କ କହିବାନୁଯାୟୀ ରାଜ୍ୟରେ ପ୍ରାୟ ୮୦ ପ୍ରତିଶତ ପାଖାପାଖି ୫ଜି ବିଟିଏସ୍ ଜିଓ ସ୍ଥାପନ କରିଥିବାବେଳେ ୨୦ ପ୍ରତିଶତ ବିଟିଏସ୍ ଏୟାରଟେଲ ବସାଇଛି। ଜିଓ ଉଭୟ ୩୫୦୦ ମେଗାହର୍ଜ ଏବଂ ୭୦୦ ମେଗାହର୍ଜର ରେଡିଓ ଫ୍ରିକ୍ବେନ୍ସି ଜରିଆରେ ୫ଜି ସେବା ଯୋଗାଇ ଦେଉଛି। ଏୟାରଟେଲ ୩୫୦୦ ମେଗାହର୍ଜର ରେଡିଓ ଫ୍ରିକ୍ବେନ୍ସି ଜରିଆରେ ୫ଜି ସେବା ପ୍ରଦାନ କରୁଛି। ୫ଜି ସେବା ଆରମ୍ଭ ଦ୍ବାରା ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଆଦି କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଥିଲା ତାହା ହୋଇପାରିନାହିଁ। ତେବେ ୫ଜି ଆସିବା ପରେ ରାଜ୍ୟରେ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ଡାଟା ବ୍ୟବହାର ବଢ଼ିଛି। କିନ୍ତୁ ୫ଜି ସେବା ଯେତିକି ମାତ୍ରାରେ ପ୍ରସାର ହେବ ବୋଲି ଆକଳନ କରାଯାଇଥିଲା ତାହା ହୋଇ ପାରିନାହିଁ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଜ୍ୟରେ ୫ଜି ସେବା ସବୁ ଅଞ୍ଚଳରେ ପହଞ୍ଚି ନପାରିବା ଏବଂ ସମସ୍ତେ ବ୍ୟବହାର ନକରିବାର ଅନେକଗୁଡ଼ିଏ କାରଣ ରହିଛି। ତେବେ ସବୁଠୁ ବଡ଼ କାରଣ ହେଲା ସବୁବର୍ଗର ଲୋକଙ୍କ ପାଖରେ ୫ଜି ସେଟ୍ ନାହିଁ। ଏ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସାଜିଛି ୫ଜି ସେଟ୍ର ଉଚ୍ଚ ଦର। ସୁଲଭ ମୂଲ୍ୟରେ ଉପଲବ୍ଧ ନହେବା କାରଣରୁ ଲୋକମାନେ ୫ଜି ନେଟୱର୍କକୁ ଯିବାରେ ସମର୍ଥ ହେଉନାହାନ୍ତି। ସେହିଭଳି ସବୁ ସ୍ଥାନରେ ମଧ୍ୟ ଏପର୍ଯ୍ୟନ୍ତ ୫ ଜି ନେଟୱର୍କ ପହଞ୍ଚି ପାରିନାହିଁ। ଏହା ବ୍ୟତୀତ ଅନ୍ୟ ଏକ ବିଷୟ ହେଲା ମୋବାଇଲ ଫୋନ ବ୍ୟବହାରକାରୀମାନେ ୪ଜି ଓ ୫ଜି ସେବାର ମାନରେ ଯେତିକି ପାର୍ଥକ୍ୟ ଅନୁଭବ କରିବା କଥା ତାହା କରୁନାହାନ୍ତି। ତେଣୁ ଅନେକ ବ୍ୟବହାରକାରୀ ୫ଜି ନେଟୱର୍କକୁ ଯିବାକୁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାବ୍ୟତୀତ ଏପର୍ଯ୍ୟନ୍ତ ଓଡ଼ିଶାରେ ବିଏସ୍ଏନ୍ଏଲ୍ ଓ ଭୋଡାଫୋନ ଆଇଡିଆ ରାଜ୍ୟରେ ୫ଜି ସେବା ଉପଲବ୍ଧ କରାଇ ପାରିନାହାନ୍ତି। ଏସବୁ ସମସ୍ୟା ଦୂର ନହେବା ପର୍ଯ୍ୟନ୍ତ ନିକଟ ଭବିଷ୍ୟତରେ ରାଜ୍ୟରେ ୫ଜି ସେବାର ବ୍ୟବହାରରେ ସେତେଟା ଅଗ୍ରଗତି ଆସିବା ଆଶା କରାଯାଉନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।