୬୦୦ ଏମ୍‌ବିପିଏସ୍‌ ବେଗରେ ୫ଜି ସେବା: ସିମ୍‌ ବଦଳାଇବାକୁ ପଡ଼ିବନି

୪ ସହରରେ ଜିଓର ସେବା ଆରମ୍ଭ, ଏୟାରଟେଲ୍‌ ୫ଜି ପ୍ଲସ ୮ ସହରରେ

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ ଫୋନ ସେବା ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ ଜିଓ ଏବଂ ଏୟାରଟେଲ ଦେଶର କେତୋଟି ସ୍ଥାନରେ ଉକ୍ତ ସେବା ଆରମ୍ଭ କରିଛନ୍ତି। ତେବେ ପ୍ରଥମେ ପ୍ରଥମେ ୫ଜି ମୋବାଇଲ ଫୋନ ଗ୍ରାହକମାନେ ୬୦୦ ଏମ୍‌ବିପିଏସ୍‌ ବେଗରେ ସେବା ପାଇବେ। ବିଶେଷଜ୍ଞଙ୍କ କହିବାନୁଯାୟୀ ପ୍ରଥମେ ନେଟୱର୍କ ଉପରେ ଚାପ ରହିବ ନାହିଁ। ତେଣୁ ଗ୍ରାହକମାନେ ଅଧିକ ବେଗରେ ସେବା ପାଇବେ। ଆପ୍‌ ଆକ୍ସେସ କରିବା ଏବଂ ଡାଟା ପ୍ରୋସେସିଂ କାର୍ଯ୍ୟ ପ୍ରଫେସନାଲ କମ୍ପ୍ୟୁଟର ଭଳି ବେଗରେ ହେବାର ଆଶା କରାଯାଉଛି।

ଉଭୟ କମ୍ପାନିର ଗ୍ରାହକଙ୍କୁ ୫ଜି ସେବା ପାଇଁ ବର୍ତ୍ତମାନର ୪ଜି ସିମ୍‌ ବଦଳାଇବାକୁ ପଡ଼ିବ ନାହିଁ। ଜିଓ ପକ୍ଷରୁ କୁହାଯାଇଛି ଗୋଟିଏ ସହରରେ ଯଥେଷ୍ଟ ସଂଖ୍ୟକ ଗ୍ରାହକଙ୍କ ପାଖରେ ନେଟୱର୍କ ନପହଞ୍ଚିବା ପର୍ଯ୍ୟନ୍ତ ବିଟା ଟ୍ରାଏଲ ବା ପରୀକ୍ଷଣ ଜାରି ରହିବ। କମ୍ପାନି ୧ଜିବିପିଏସ ପର୍ଯ୍ୟନ୍ତ ବେଗରେ ୫ଜି ସେବା ଯୋଗାଇ ଦେବ ବୋଲି କହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ମୋବାଇଲ ଟାୱାର ନିକଟରେ ଏହି ସେବା ମିଳିବା ସମ୍ଭବ। ପରୀକ୍ଷଣ ବେ‌ଳେ ୬୦୦ ଏମବିପିଏସ ପର୍ଯ୍ୟନ୍ତ ବେଗରେ ସେବା ମିଳିବ। ପରେ ଏହା ୨୦୦ରୁ ୩୦୦ ‌ଏମବିପିଏସ୍‌ ବେଗରେ ଜାରି ରହିବ ବୋଲି ଏରିକସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅର୍ଥାତ ୨ ଘଣ୍ଟା ଅବଧିର ହାଇ ଡେଫିନିସନ ସିନେମା (ପାଖାପାଖି ୬ଜିବି ଫାଇଲ) ଡାଉନଲୋଡ ପାଇଁ ୧ ମିନିଟ ୨୫ ସେକେଣ୍ଡ ଲାଗିବ। ସେହିଭଳି ୪କେ ସିନେମା ପ୍ରାୟ ୩ ମିନିଟରେ ଡାଉନଲୋଡ ହୋଇଯିବ। ୫ଜି ଉପଲବ୍ଧ ହେବା ପରେ ମୋବାଇଲ ଫୋନ ନେଟୱର୍କ ଡିସପ୍ଲେରେ ୪ଜି ପରିବର୍ତ୍ତେ ୫ଜି ଦର୍ଶାଇବ। ଗୋଟିଏ ସର୍କଲରେ ସେବା ପ୍ରଦାନ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ କମ୍ପାନି ଶୁଳ୍କ ଘୋଷଣା କରିବ ବୋଲି ଆଶା କରାଯାଉଛି।

୪ ସହରରେ ଜିଓର ସେବା ଆରମ୍ଭ
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଦଶହରାରୁ ଦେଶର ୪ଟି ସହରରେ ୫ଜି ସେବା ଆରମ୍ଭ ଘୋଷଣା କରିଛି। ସେହି ସହରଗୁଡ଼ିକ ହେଲା ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରଣାସୀ। ଗ୍ରାହକମାନେ ଏହାର ୱେଲକମ ଅଫରରେ ୧ଜିପିପିଏସ୍‌+ ପର୍ଯ୍ୟନ୍ତ ବେଗରେ ଅସୀମିତ ୫ଜି ଡାଟା ପାଇବେ। ସଂପ୍ରତି ଜିଓ ୫ଜି ସେବା ପାଇଁ ବିଟା ଟ୍ରାଏଲ ଆରମ୍ଭ କରିଛି। ଅର୍ଥାତ ସବୁ ଗ୍ରାହକ ଜିଓର ୫ଜି ସେବା ପାଇବେ ନାହିଁ। କିନ୍ତୁ ଯଦି ଏହି ୪ଟି ସହରରେ ରହୁଥାନ୍ତି ଏବଂ ସେମାନଙ୍କର ୫ଜି ସ୍ମାର୍ଟଫୋନ ରହିଥାଏ ତା’ହେଲେ ଜିଓର ୫ଜି ୱେଲକମ ଅଫର ପାଇବା ସୁଯୋଗ ରହିଛି। ୨୦୧୭ରେ ୪ଜି ସେବା ଆରମ୍ଭ ସମୟରେ ମଧ୍ୟ ଜିଓ ଏଭଳି ସେବା ଘୋଷଣା କରିଥିଲା। ତେଣୁ ୫ଜିରେ ମଧ୍ୟ ଜିଓ ସମାନ ରଣନୀତି ଅବଲମ୍ବନ କରିବ ବୋଲି ଆଶା କରାଯାଉଛି। ୫ଜି ସେବା ପାଇବା ପାଇଁ କୌଣସି ଅପଗ୍ରେଡ୍‌ର ଆବଶ୍ୟକତା ନାହିଁ। ୫ଜି ପ୍ଲାନ ଘୋଷଣା କରିବା ପର୍ଯ୍ୟନ୍ତ ଉପରୋକ୍ତ ସହରର ଯୋଗ୍ୟ ଗ୍ରାହକମାନେ ୪ଜି ମୂଲ୍ୟରେ ୫ଜି ସେବା ପାଇବା ଆଶା ରହିଛି। ୫ଜି ସେବା ପାଇବା ପାଇଁ କୌଣସି ନୂଆ ସିମ୍‌ର ଆବଶ୍ୟକତା ନାହିଁ। ୫ଜି ହ୍ୟାଣ୍ଡସେଟ୍ ଥିଲେ ଏହି ସେବା ମିଳିବ।

ଏୟାରଟେଲ୍‌ ୫ଜି ପ୍ଲସ ୮ ସହରରେ
ନୂଆଦିଲ୍ଲୀ: ଏୟାରଟେଲ ଏହାର ୫ଜି ମୋବାଇଲ ଫୋନ ସେବା ସଂପର୍କରେ ଅଧିକ ସୂଚନା ଦେଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର ଏବଂ ବାରଣାସୀରେ ଏୟାରଟେଲ ଏହାର ଅତ୍ୟାଧୁନିକ ୫ଜି ପ୍ଲସ ସେବା ପର୍ଯ୍ୟାୟକ୍ରମେ ଗ୍ରାହକଙ୍କୁ ଯୋଗାଇ ଦେବ। ୫ଜି ସ୍ମାର୍ଟଫୋନ ଥିବା ଗ୍ରାହକମାନେ ଏହି ସେବା ପାଇପାରିବେ। ଏଥିପାଇଁ କୌଣସି ନୂଆ ସିମ୍‌ର ଆବଶ୍ୟକତା ନାହିଁ। କମ୍ପାନି ଏହାର ଗ୍ରାହକଙ୍କୁ ୪ଜି ତୁଳନାରେ ୨୦ରୁ ୩୦ ଗୁଣା ଅଧିକ ବେଗରେ ଡାଟା ସେବା ଯୋଗାଇ ଦେବ। ଏଥିସହିତ ଉତ୍ତମମାନର ଭଏସ୍‌ ଓ ସୁପରଫାଷ୍ଟ କଲ୍‌ କନେକ୍ଟ ସୁବିଧା ଗ୍ରାହକ ପାଇବେ। ତେବେ ଦେଶରେ ୫ଜି ସେବା ପାଇଁ ଉଦ୍ଦିଷ୍ଟ ସ୍ମାର୍ଟଫୋନର ସଂଖ୍ୟା ମୋଟ ଫୋନ୍‌ର ୧୦ ପ୍ରତିଶତରୁ କମ୍‌ ହୋଇଥିବାରୁ ଉକ୍ତ ସେବା ପାଇଁ ବର୍ତ୍ତମାନ କମ୍ପାନି ଅର୍ଥ ଆଦାୟ କରି ନପାରେ। ଚଳିତମାସ ସୁଦ୍ଧା ୫ଜି ସେବା ଯୋଗାଇବାର ସାମର୍ଥ୍ୟ ରଖିଥିବା ସାମସଙ୍ଗ ଏବଂ ସାଓମିର ସବୁ ଫୋନଧାରକମାନେ ଏହି ସେବା ଉପରୋକ୍ତ ସ୍ଥାନରେ ପାଇବେ। ଶୁଳ୍କ କେତେ ରହିବ ତାହା କମ୍ପାନି ଆସନ୍ତା କିଛିଦିନ ମଧ୍ୟରେ ସ୍ଥିର କରିବ।

ସମ୍ବନ୍ଧିତ ଖବର