ନୂଆଦିଲ୍ଲୀ : ଭାରତରେ ବହୁ ପ୍ରତୀକ୍ଷିତ ୫ଜି ମୋବାଇଲ ସେବା ଆସନ୍ତା ମାସ ୧ ତାରିଖରେ ଆରମ୍ଭ ହେବ। ଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍ଘାଟନ କରିବେ। ଯୋଗାଯୋଗ ମନ୍ତ୍ରାଳୟ ଅଧୀନରେ ଥିବା ନ୍ୟାସନାଲ ବ୍ରଡବ୍ୟାଣ୍ଡ୍ ମିସନ ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି। ୫ଜି ସେବା ଦ୍ବାରା ଭାରତର ଡିଜିଟାଲ ରୂପାନ୍ତରଣ ଏବଂ ଯୋଗାଯୋଗ ନୂଆ ଉଚ୍ଚତାକୁ ଯିବ।
ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଦେଶର ୭ଟି ସହରରେ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡ଼ାଫୋନ ଆଇଡ଼ିଆ ପକ୍ଷରୁ ଉକ୍ତ ନୂଆ ପିଢ଼ିର ସେବା ଆରମ୍ଭ ହେବ। ତେବେ ଓଡ଼ିଶାକୁ ମଧ୍ୟ ଏଥିରେ ସାମିଲ କରାଯିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବେ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅକ୍ଟୋବରରେ ୫ଜି ମୋବାଇଲ ଫୋନ ସେବା ଆରମ୍ଭ ନେଇ ସୂଚନା ଦେଇଥିଲେ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏଥିରେ ଓଡ଼ିଶା ନଥିଲା। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଓଡ଼ିଶାର ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ୫ଜି ସେବା ଆରମ୍ଭରେ ଓଡ଼ିଶାର ସ୍ଥାନ ନଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟ ୫ଜି ସେବାରେ ସାମିଲ କରାଯିବ। ସେହିଦୃଷ୍ଟିରୁ ଓଡ଼ିଶାରେ ଅକ୍ଟୋବର ପହିଲାରେ ଓଡ଼ିଶାର ପାଳି ପଡ଼ିବା ଆଶା କରାଯାଉଛି। ସ୍ବଳ୍ପ ସମୟ ମଧ୍ୟରେ ଦେଶର ୮୦ ପ୍ରତିଶତ ଲୋକଙ୍କ ନିକଟରେ ୫ଜି ସେବା ପହଞ୍ଚାଇବା ପାଇଁ ବିଭାଗୀୟ ମନ୍ତ୍ରୀ କମ୍ପାନିଗୁଡ଼ିକୁ ଟାର୍ଗେଟ ଦେଇଛନ୍ତି।
୫ଜିରେ ୧୦ଗୁଣା ଅଧିକ ବେଗରେ ସେବା ମିଳିବ ବୋଲି ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ତେଣୁ ଯଦି ୫ଜିରେ ୧୦ ଗୁଣା ଅଧିକ ବେଗରେ ସେବା ମିଳେ ଓଡ଼ିଶାରେ ଡାଉନଲୋଡ୍ର ହାରାହାରି ସ୍ପିଡ୍ ୧୫୦ ଏମ୍ବିପିଏସ୍ରୁ ୫୦୦ ଏମ୍ବିପିଏସ୍ ପର୍ଯ୍ୟନ୍ତ ଯାଇପାରେ। ସେହିଭଳି ଅପଲୋଡ୍ର ହାରାହାରି ସ୍ପିଡ୍ ୫୦ ଏମ୍ବିପିଏସ୍ରୁ ୧୪୦ ଏମ୍ବିପିଏସ୍ ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶା ରଖାଯାଇଛି। କେବଳ ମୋବାଇଲ ଫୋନ୍ କିମ୍ବା ଇଣ୍ଟରନେଟ୍ ନୁହେଁ, ମେସିନ୍ ସହିତ ମେସିନ୍ର ଯୋଗାଯୋଗ, ଗାଡ଼ିଗୁଡ଼ିକରେ ଉନ୍ନତମାନର ଯୋଗାଯୋଗ ସୁବିଧା ସମେତ ଅନ୍ୟାନ୍ୟ ଔଦ୍ୟୋଗିକ ପ୍ରୟୋଗରେ ୫ଜି ପ୍ରଯୁକ୍ତି ବିଶେଷ ସହାୟକ ହେବ। ଟ୍ରାଇର ରିପୋର୍ଟ ଅନୁଯାୟୀ ଏବେ ଓଡ଼ିଶାରେ ୪ଜି ପ୍ରଯୁକ୍ତିରେ ହାରାହାରି ଡାଉନଲୋଡ୍ ସ୍ପିଡ୍ ୧୫ରୁ ୫୪.୨ ଏମ୍ବିପିଏସ୍ ଭିତରେ ରହିଛି। ସେହିଭଳି ଅପଲୋଡ଼୍ର ହାରାହାରି ସ୍ପିଡ୍ ୫.୧ରୁ ୧୪.୪ ଏମ୍ବିପିଏସ୍ ମଧ୍ୟରେ ରହିଛି।
୪ଜିରେ ଓଡ଼ିଶାରେ କାହାର ସ୍ପିଡ୍ କେତେ?