ନୂଆଦିଲ୍ଲୀ : ଚଳିତ ମାସ ଆରମ୍ଭରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ଗତ ସପ୍ତାହରେ ସ୍ପେକ୍ଟ୍ରମ ଆବଣ୍ଟନ ମଧ୍ୟ ଶେଷ ହୋଇଛି । ଏହା ପରେ କେବେ ଦେଶରେ ୫ଜି ସେବା ଆରମ୍ଭ ହେବ ସେ ନେଇ ଗ୍ରାହକମାନେ ପ୍ରତୀକ୍ଷା କରୁଛନ୍ତି ।

Advertisment

ତେବେ ମିଳିଥିବା ସୂଚନା ଅନୁସାରେ ଭାରତରେ ପ୍ରଥମେ ୧୩ଟି ପ୍ରମୁଖ ସହରରେ ୫ଜି ସେବା ଆରମ୍ଭ ହେବ। ଅନ୍ୟ ସହରର ଲୋକମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ । ଏହି ୧୩ଟି ସହର ହେଲା ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ଚେନ୍ନାଇ, ଚଣ୍ଡିଗଡ଼, ଗାନ୍ଧିନଗର, ହାଇଦ୍ରାବାଦ, ବେଙ୍ଗାଲୁରୁ, ଗୁରୁଗ୍ରାମ, ଲକ୍ଷ୍ନୌ, ଜାମନଗର ଓ ଅହମଦାବାଦ । ସେପ୍ଟେମ୍ବର ୨୯ରେ ଏହି୧୩ଟି ସହରରେ ୫-ଜି ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଇଣ୍ଡିଆ ମୋବାଇଲ କଂଗ୍ରେସ ସେହି ସମୟରେ ଆୟୋଜନ ହେଉଥିବାରୁ ସେତେବେଳେ ୫ଜି ସେବା ଆରମ୍ଭ ହେବ । ୨ୟ ପର୍ଯ୍ୟାୟରେ ଦେଶର ଆଉ କେତେକ ସହରରେ ଏହି ଅତ୍ୟାଧୁନିକ ଟେଲିକମ ସେବା ଆରମ୍ଭ ହେବ ।

ତେବେ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ଆରମ୍ଭ ହେବ ।

ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ  ଭୋଡାଫୋନ ଆଇଡିଆ ମଧ୍ୟ ଅଂଶଗ୍ରହଣ କରିଥିଲା । ଏଥିରେ ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ବି ଏଥିରେ ଅଂଶଗ୍ରହଣ କରିଥିଲା ।