୫ଜି ସେବା ବିଳମ୍ବ ହେବ, ଆଉ ୬ ମାସ ପରୀକ୍ଷଣ ଚାଲିବ

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ୍ ଟେଲିଫୋନ୍ ସେବାର ପରୀକ୍ଷଣ କରୁଥିବା ସଂସ୍ଥାଗୁଡ଼ିକୁ ଟେଲିକମ୍ ବିଭାଗ ଆଉ ୬ ମାସର ସମୟ ଦେଇଛନ୍ତି। ୫ଜି ପରୀକ୍ଷଣ ଲାଗି ସରକାର ସେମାନଙ୍କୁ ୩.୫ ଗିଗାହର୍ଜ, ୨୬ ଗିଗାହର୍ଜ ଓ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ଆବଣ୍ଟନ କରିଛନ୍ତି। ପରୀକ୍ଷଣ ଶେଷ କରିବା ଲାଗି କଂପାନିଗୁଡ଼ିକୁ ପୂର୍ବରୁ ଯେଉଁ ସମୟ ଦିଆଯାଇଥିଲା ତାହାର ଅବଧି ନଭେମ୍ବର ୨୬ରେ ଶେଷ ହେଉଛି। ଏହି ସମୟ ବଢ଼ାଇବା ଲାଗି ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ ଓ ଭାରତୀ ଏୟାରଟେଲ୍ ଭଳି ସଂସ୍ଥା ସରକାରଙ୍କୁ ନିବେଦନ କରିଥିଲେ। ସେମାନଙ୍କ ଅନୁରୋଧ ରକ୍ଷା କରି ଟେଲିକମ୍ ବିଭାଗ ପକ୍ଷରୁ କଂପାନିଗୁଡ଼ିକୁ ଆସନ୍ତା ମେ’ ୨୬ ପର୍ଯ୍ୟନ୍ତ ସମୟ ମଞ୍ଜୁର କରାଯାଇଛି।

୫ଜିରେ ହାଇ ସ୍ପିଡ୍‌ରେ ଇଣ୍ଟରନେଟ୍ ମିଳିବ। ଏହାକୁ ମେଡିକାଲ୍ ଠାରୁ ଆରମ୍ଭ କରି କୃଷି କାର୍ଯ୍ୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। କେଉଁ କ୍ଷେତ୍ରରେ ଏହି ସେବାକୁ କିଭଳି ବ୍ୟବହାର କରାଯିବ ତାହା କଂପାନିଗୁଡ଼ିକ ଧୀରେ ଧୀରେ ପରୀକ୍ଷଣ କରୁଛନ୍ତି। ୫ଜି ସମାଧାନ ପ୍ରଦାନ କରୁଥିବା ସଂସ୍ଥା ଯଥା ନୋକିଆ ଓ ଏରିକ୍ସନ ଆଦି ସହ ମିଶି ଭାରତୀୟ ଟେଲିକମ୍ କଂପାନିଗୁଡ଼ିକ ୫ଜିର ପରୀକ୍ଷଣ କରୁଛନ୍ତି। ଯେହେତୁ ପରୀକ୍ଷଣ ଲାଗି ଅଧିକ ସମୟ ମଞ୍ଜୁର କରାଯାଇଛି ତେଣୁ ୫ଜି ସ୍ପେକ୍ଟ୍ରମ୍ (ଏକ ପ୍ରକାର ରେଡିଓ ତରଙ୍ଗ) ନିଲାମ ମଧ୍ୟ ବିଳମ୍ବ ହେବ ବୋଲି ବିଶେଷଜ୍ଞମାନେ ଭାବୁଛନ୍ତି। ଆ‌ସନ୍ତା ବର୍ଷ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ସ୍ପେକ୍ଟ୍ରମ୍ ନିଲାମ କରିବାକୁ ସରକାର ଯୋଜନା ରଖିଥିଲେ। କିନ୍ତୁ ନିର୍ଧାରିତ ସମୟରେ ଏହି କାର୍ଯ୍ୟ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସ୍ପେକ୍ଟ୍ରମ୍ ନିଲାମ ବିଳମ୍ବ ହେଲେ ତାହା କିଛି ଟେଲିକମ୍ କଂପାନିକୁ ସୁହାଇବ ମଧ୍ୟ। ରିଲାଏନ୍ସ ଜିଓ ଏବେ ବହୁତ ଭଲ ସ୍ଥିତିରେ ରହିଛି। ତେଣୁ ଯଦି ନିର୍ଧାରିତ ସମୟରେ ସ୍ପେକ୍ଟ୍ରମ୍ ନିଲାମ ହେବ ତେବେ ଏହି ସଂସ୍ଥା ଉପକୃତ ହେବ। ଯଦି କୌଣସି କାରଣରୁ ନିଲାମ ବର୍ଷେ ବିଳମ୍ବ ହେବ ତେବେ ଏୟାରଟେଲ୍‌ ଭଳି ସଂସ୍ଥାକୁ ତାହା ସୁହାଇବ। କାରଣ ଏହାର ହିସାବ ଖାତାରେ ଏବେ ଧୀରେ ଧୀରେ ସୁଧାର ହେଉଛି। ୫ଜି ସ୍ପେକ୍ଟ୍ରମ୍‌ର ମୂଲ୍ୟ କେତେ ରଖାଯିବ ତାହା ନିର୍ଧାରଣ କରିବା ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସହ ମିଶି ଟେଲିକମ୍ ବିଭାଗ କାର୍ଯ୍ୟ କରୁଛି। ଏକ ଆନୁମାନିକ ହିସାବରୁ ଜଣାପଡ଼ିଛି ଯେ୩.୩ରୁ ୩.୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୧୦୦ ମେଗାହର୍ଜର ୫ଜି ସ୍ପେକ୍ଟ୍ରମ୍ କିଣିବା ଲାଗି ଟେଲିକମ୍ କଂପାନିଙ୍କୁ ୫୦ ହଜାର କୋଟି ଟଙ୍କା ଗଣିବାକୁ ପଡ଼ିବ। ୫ଜି ସେବା ଆରମ୍ଭ କରିବା ଲାଗି ହାରାହାରି ଏତିକି ସ୍ପେକ୍ଟ୍ରମ୍ ନିହାତି ଦରକାର। ‌୫ଜି ସ୍ପେକ୍ଟ୍ରମ୍ ମୂଲ୍ୟ ଅତ୍ୟଧିକ ରଖାଯାଇଛି ବୋଲି ଟେଲିକମ୍ କଂପାନିଗୁଡ଼ିକ କହୁଛନ୍ତି।

ସମ୍ବନ୍ଧିତ ଖବର