ଦେଶର ୮୦ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ମିଳିବ ସ୍ବଦେଶୀ ୫ଜି; ଉଦ୍ୟୋଗ ଓ ବ୍ୟବସାୟ କ୍ଷେତ୍ରକୁ ଫାଇଦା, ବଢ଼ିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ । ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ ।

ଦେଶରେ ଯେଉଁ ସଫଳ ୪ଜି ପରିବେଶ ସୃଷ୍ଟି ହୋଇଥିଲା ତାହା ୫ଜିକୁ ଯିବା ପାଇଁ ବାଟ ଖୋଲିଛି । ବଡ଼ କଥା ହେଲା ସ୍ୱଦେଶୀ କାରିଗରୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ୱାରା ଭାରତ ୪ଜିରୁ ୫ଜିକୁ ପ୍ରବେଶ କରୁଛି । ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟ ଅପ (ପରୀକ୍ଷାମୂଳକ ବ୍ୟବସ୍ଥା) ସ୍ଥାପନ କରିଛନ୍ତି । ସରକାର ମଧ୍ୟ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ନୀତି (ପିଏଲଆଇ) ମାଧ୍ୟମରେ ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ଉଦ୍ୟମ ଦେଶରେ ୫ଜି ସେବା ପ୍ରବର୍ତ୍ତନ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏ କ୍ଷେତ୍ରରେ ଚାଲିଥିବା ନିରନ୍ତର ପ୍ରୟାସ ଭାରତକୁ ଯେ ଶୀଘ୍ର ବିଶ୍ୱର ଅନ୍ୟତମ ପ୍ରମୁଖ ୫ଜି ଟେକ୍ନୋଲୋଜି ଓ ଆଗାମୀ ୬ଜି ଟେକ୍ନୋଲୋଜି ରାଷ୍ଟ୍ରର ମାନ୍ୟତା ଦେବ ଏଥିରେ ସଂଦେହ ନାହିଁ ।

Image Courtesy of Technopython

ବ୍ରଡବ୍ୟାଣ୍ଡ, ବିଶେଷ କରି ମୋବାଇଲ ବ୍ରଡବ୍ୟାଣ୍ଡ ଦେଶର ନାଗରିକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି । ୨ଠ୧୫ରେ ସମଗ୍ର ଦେଶରେ ୪ଜି ସେବାର ଦ୍ରୁତ ସମ୍ପ୍ରସାରଣ ହେବା ପରେ ଏହି ପ୍ରୟାସ ବିଶେଷ ତ୍ୱରାନ୍ୱିତ ହୋଇଥିଲା । ୨ଠ୧୪ରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୧ଠ କୋଟି ଥିବାବେଳେ ଏବେ ଏହା ୮ଠ କୋଟିରେ ପହଂଚିଛି ।

ଏହି ଐତିହାସିକ ନୀତି ଓ ଯୋଜନା ମାଧ୍ୟମରେ ସରକାର ମୋବାଇଲ ବ୍ୟାଙ୍କିଙ୍ଗ, ଅନଲାଇନ ଶିକ୍ଷା, ଟେଲିମେଡିସିନ ଓ ଅନ୍ତ୍ୟୋଦୟ ପରିବାରଙ୍କ ଇ-ରେସନରେ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି ।

ସମଗ୍ର ୫ଜି ବ୍ୟବସ୍ଥାରେ ସ୍ପେକ୍ଟ୍ରମ ବା ଧ୍ୱନିତରଙ୍ଗ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆସନ୍ନ ୫ଜି ସେବା ଦେଶରେ  ନ୍ୟୁଏଜ ବିଜନେସ ସୃଷ୍ଟି କରିବାର ସାମର୍ଥ୍ୟ ବହନ କରେ । ଏହା ଫଳରେ ଉଦ୍ୟୋଗଗୁଡ଼ିକ ଅଧିକ ରାଜସ୍ୱ ସୃଷ୍ଟି କରିବେ ଏବଂ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଅଧିକ ନିଯୁକ୍ତି ସୁଯୋଗ ଯୋଗାଇବେ ।

ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ୨୦ ବର୍ଷ ପାଇଁ ନିଲାମରେ ଦିଆଯିବ । ଏହି ସ୍ପେକ୍ଟ୍ରମ ନିଲାମ କାମ ୨୦୨୨ ଜୁଲାଇ ଶେଷ ସୁଦ୍ଧା ଶେଷ ହେବ । ବିଭିନ୍ନ ବର୍ଗରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ । ସେଥିରେ ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩୦୦ ମେଗାହର୍ଜ ସ୍ୱଳ୍ପବର୍ଗ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ । ସେହିଭଳି ମଧ୍ୟମ ବର୍ଗରେ ୩୩୦୦ ମେଗାହର୍ଜ ଓ ଉଚ୍ଚ ବର୍ଗରେ ୨୬ (ଗିଗାହର୍ଜ) ଫ୍ରିକୁଏନ୍ସି ବ୍ୟାଣ୍ଡ ମଧ୍ୟ ନିଲାମ ପାଇଁ ଉପଲବ୍ଧ ହେବ ।

ଆଶା କରାଯାଉଛି ଯେ ମଧ୍ୟମ ଓ ଉଚ୍ଚ ବ୍ୟାଣ୍ଡ ସ୍ପେକ୍ଟ୍ରମକୁ ଟେଲିଫୋନ ସେବା ଯୋଗାଣକାରୀ ବ୍ୟବହାର କରି ଦେଶରେ ୫ଜି ସେବା ଯୋଗାଣ ଆରମ୍ଭ କରିବେ । ଏହି ୫ଜି ସେବା ଅଧିକ ବେଗ (ସ୍ପିଡ) ଓ ଦକ୍ଷତା ପ୍ରଦାନ କରିବାକୁ ସମର୍ଥ । ବର୍ତ୍ତମାନର ୪ଜି ସେବା ଠାରୁ ଏହା ୧ଠ ଗୁଣ ଦ୍ରୁତତର ସ୍ପିଡ ପ୍ରଦାନ କରିବାକୁ ସକ୍ଷମ ।

ସମ୍ବନ୍ଧିତ ଖବର