ଶେଷ ହେଲା ୫ଜି ନିଲାମ, ସରକାର ପାଇବେ ଦେଢ ଲକ୍ଷ କୋଟି

ନୂଆଦିଲ୍ଲୀ : ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫ଜି ସ୍ପେକ୍ଟ୍ରମ ଶୁକ୍ରବାରଦିନ ଶେଷ ହୋଇଛି । ଏହି ୪ଦିନରେ ମୋଟ ୨୩ ରାଉଣ୍ଡ ବିଡିଂ ହୋଇଥିଲା । ଶୁକ୍ରବାର ଅର୍ଥାତ ଚୁଡ଼ାନ୍ତ ଦିନରେ ପ୍ରାୟ ୭ ରାଉଣ୍ଡ ବିଡିଂ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ ଲକ୍ଷ ୪୯ ହଜାର ୮୫୫ କୋଟି ଟଙ୍କା ପାଇଛନ୍ତି ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫ଜି ଟେଲିକମ ନିଲାମ ୨ୟ ଦିନ ହିଁ ଶେଷ ବୋଲି ପୂର୍ବରୁ ଆଶା କରାଯାଉଥିବାବେଳେ ତାହା ୪ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଗତ ବର୍ଷ ହୋଇଥିବା ୪ଜି ସ୍ପେକ୍ଟ୍ରମ ନିଲାମ ୨ ଦିନରେ ଶେଷ ହୋଇଯାଇଥିଲା ।

୫-ଜି ନିଲାମରେ ଦେଶର ପ୍ରମୁଖ ଟେଲିକମ କମ୍ପାନି ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଆଦି ଅଂଶଗ୍ରହଣ କରୁଛନ୍ତି । ସେହିପରି ପ୍ରଥମ ଥର ପାଇଁ ଅଦାନୀ ଗ୍ରୁପ ବି ଏହି ନିଲାମରେ ଅଂଶଗ୍ରହଣ କରୁଛି । ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ଏଥିରେ ଅଂଶଗ୍ରହଣ କରୁଛି । ଶୁକ୍ରବାର ଶେଷ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ମୋଟ ୭୨ ଗିଗାହଜ୍ ସ୍ପେକ୍ଟ୍ରମ ନିଲାମ ହୋଇଥିଲା ।

ଭାରତରେ ଚଳିତ ବର୍ଷ ଶେଷସୁଦ୍ଧା କେତେକ ନିର୍ଦ୍ଦିଷ୍ଟ ସହରରେ ୫ଜି ସେବା ଆରମ୍ଭ ହେବ ।

 

 

 

ସମ୍ବନ୍ଧିତ ଖବର