ନୂଆଦିଲ୍ଲୀ: ବିମାନବନ୍ଦର ପାଖାପାଖି ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ୫ଜି ସେବା ବ୍ୟବହାର କରିବା ଲାଗି କିଛି ମାସ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ ବିମାନବନ୍ଦରର ୨.୧ କିଲୋମିଟର ମଧ୍ୟରେ କୌଣସି ସି-ବ୍ୟାଣ୍ଡ୍‌ର ୫ଜି ଟାୱାର ସ୍ଥାପନ ନବସାଇବା ଲାଗି ଟେଲିକମ୍ କଂପାନିଗୁଡ଼ିକୁ ସରକାର କହିଛନ୍ତି। ବିମାନରେ ଲାଗିଥିବା ରେଡିଓ (ରାଡାର୍‌) ଯେଉଁ ବ୍ୟାଣ୍ଡ୍‌ରେ କାମ କରୁଛି, ସି-ବ୍ୟାଣ୍ଡ୍‌ ହେଉଛି ତାହାର ଏକ ପାଖାପାଖି ବ୍ୟାଣ୍ଡ୍‌। ବିମାନ ଉଡ଼ାଣରେ ଯେଭଳି କୌଣସି ଅସୁବିଧା ନହୁଏ ତାହା ନିଶ୍ଚିତ କରିବା ଲାଗି କଂପାନିଗୁଡ଼ିକୁ ଟାୱାର ନବସାଇବାକୁ କୁହାଯାଇଛି। ଆମେରିକାରେ ୫ଜି ସେବା ଆରମ୍ଭ କରିବା ବେଳେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥିଲା। ବିମାନରେ ଲାଗିଥିବା ରାଡାରକୁ ବଦଳାଇବା ପରେ ସେଠାରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ବିମାନ ଉଡ଼ାଣ, ଅବତରଣ, ପାହାଡ଼ ଆଦିରେ ଧକ୍କା ନହେବା ଆଦି ଲାଗି ପାଇଲଟ୍‌ ବିମାନରେ ଥିବା ରାଡାର୍‌ ତଥ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

Advertisment

ବିମାନବନ୍ଦର ରନ୍‌ୱେର ଉଭୟ ପାର୍ଶ୍ବରେ ୨୧୦୦ ମିଟର ପର୍ଯ୍ୟନ୍ତ ଏବଂ ମଝି ରେଖାରୁ ୯୦୦ ମିଟର ପର୍ଯ୍ୟନ୍ତ କୌଣସି ୫ଜି ଟାୱାର ନବସାଇବା ଲାଗି କଂପାନିଗୁଡ଼ିକୁ ଟେଲିକମ୍ ବିଭାଗ କହିଛି। ତେବେ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ନକହିବା ପର୍ଯ୍ୟନ୍ତ କଂପାନିଗୁଡ଼ିକ ବିମାନବନ୍ଦର ପାଖାପାଖି ଅଞ୍ଚଳରେ ୫ଜି ଟାୱାର ବସାଇବାକୁ ବିରତ ରହିବେ। ସବୁ ବିମାନରେ ରେଡିଓ ଅଲ୍‌ଟିମିଟର ବଦଳିବା ପରେ ଟାୱାର ବସାଯାଇପାରିବ। ଅଲ୍‌ଟିମିଟର ବଦଳାଇବା କାମ ଶେଷ ହେବା ବିଷୟରେ ଡିଜିସିଏ ତୁରନ୍ତ ଟେଲିକମ୍ କଂପାନିଗୁଡ଼ିକୁ ସୂଚନା ଦେବ।