ନୂଆଦିଲ୍ଲୀ: କାର୍ ଯାତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ୬ଟି ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ। ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ (ସିଆମ୍)ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ବେଳେ ସେ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିବା ବିଷୟରେ କହିଥିଲେ। ଦେଶରେ ଫ୍ଲେକ୍ସ-ଫୁଏଲ୍ ଗାଡ଼ି ତିଆରି କରିବା ପାଇଁ ବ୍ୟବସ୍ଥା ବିକଶିତ କରିବା ଉପରେ ଗଡ଼କରୀ ଜୋର ଦେଇଛନ୍ତି। ଏହି ପ୍ରକାର ଗାଡ଼ିଗୁଡ଼ିକରେ ଇଥାନଲ୍ ମିଶା ଇନ୍ଧନ ଓ ପେଟ୍ରୋଲ୍ କିମ୍ବା ଡିଜେଲ୍ ବ୍ୟବହାର କରିବାର ବିକଳ୍ପ ରହିବ।
ଗ୍ରାହକମାନେ ନିଜକୁ ସୁହାଇବା ଭଳି ତେଲ ପକାଇ ସେହି ଗାଡ଼ିଗୁଡ଼ିକୁ ଚଲାଇପାରିବେ। ଇଥାନଲ୍ ମିଶା ଇନ୍ଧନ ବ୍ୟବହାର ଦ୍ବାରା ପ୍ରଦୂଷଣ ଅନେକାଂଶରେ ହ୍ରାସ ପାଇବ। ବ୍ରାଜିଲ୍ରେ ଏହି ମଡେଲ୍ ବେଶ ସଫଳ ହୋଇଛି। ଇନ୍ଧନ ମିତବ୍ୟୟିତାକୁ ନେଇ ସରକାର ଯେଉଁ କଠୋର ନିୟମ ଜାରି କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାର ସମୟ ଆଉ ଗୋଟିଏ ବର୍ଷ ବଢ଼ାଇବା ଲାଗି ସିଆମ୍ ପକ୍ଷରୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। କୋଭିଡ୍-୧୯ ମହାମାରୀର ପ୍ରଭାବ ଦୂର ହୋଇନଥିବା ବେଳେ ଏତେ କଠୋର ନିୟମ ପାଳନ କରିବା କଷ୍ଟକର ହେବ ବୋଲି ସଂଘ ପକ୍ଷରୁ କୁହାଯାଉଛି। ଆସନ୍ତା ବର୍ଷ ଏପ୍ରିଲ୍ରୁ ଏହି ନିୟମ ଲାଗୁ ହେବାର କାର୍ଯ୍ୟକ୍ରମ ରହିଛି।