ନୂଆଦିଲ୍ଲୀ: ଦେଶରେ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଥିଯୋଗୁ ଦେଶରେ ବିଳାସପୂର୍ଣ୍ଣ କାର୍ ବିକ୍ରି ମଧ୍ୟ ବଢ଼ିବାରେ ଲାଗିଛି। ୨୦୨୪ରେ ପ୍ରତି ଘଣ୍ଟାରେ ଦେଶରେ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୬ଟି କାର୍ ବିକ୍ରି ହୋଇଛି। ଏହି କାର୍ଗୁଡ଼ିକ ମଧ୍ୟରେ ଅଡି ଏବଂ ମର୍ସିଡିଜ୍ ବେଞ୍ଜ୍ ଭଳି କମ୍ପାନିର କାର୍ ରହିଛି। ସୂଚନା ଅନୁଯାୟୀ, ୫ ବର୍ଷ ପୂର୍ବେ ଦେଶରେ ପ୍ରତି ଘଣ୍ଟାରେ ବିଳାସପୂର୍ଣ୍ଣ କାର୍ ବିକ୍ରି ସଂଖ୍ୟା ପ୍ରତି ଘଣ୍ଟାରେ ମାତ୍ର ୨ଟି ରହିଥିଲା। ତେଣୁ ଗତ ୫ ବର୍ଷ ମଧ୍ୟରେ ଏଥିରେ ୩ ଗୁଣା ବୃଦ୍ଧି ଦେଖାଦେଇଛି। ୨୦୨୫ ମସିହାରେ ଏହି ବିକ୍ରି ସଂଖ୍ୟା ଆହୁରି ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି। ୨୦୨୫ରେ ବିଳାସପୂର୍ଣ୍ଣ କାର୍ ନିର୍ମାତାମାନେ ୨ ଡଜନ୍ରୁ ଅଧିକ ନୂଆ ଗାଡ଼ି ଉନ୍ମୋଚନ କରିବା ଯୋଜନା ରଖିଛନ୍ତି। ସେମାନଙ୍କ ମତରେ ୨୦୨୫ରେ ବିଳାସପୂର୍ଣ୍ଣ ଗାଡ଼ି ବଜାରରେ ଅଧିକ ଉତ୍ସାହ ରହିବ। ୨୦୨୫ରେ ବିଳାସପୂର୍ଣ୍ଣ ଗାଡ଼ି ବିକ୍ରି ସଂଖ୍ୟା ୫୦ ହଜାରରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଏହାହେଲେ ପ୍ରଥମ ଥର ପାଇଁ ବିଳାସପୂର୍ଣ୍ଣ ଗାଡ଼ି ବିକ୍ରି ବିକ୍ରିରେ ନୂଆ ରେକର୍ଡ ସୃଷ୍ଟି ହେବ। ଅଡି ଇଣ୍ଡିଆର ବରିଷ୍ଠ ଅଧିକାରୀ ବଲବୀର ସିଂହ ଡିଲିୟନଙ୍କ କହିବାନୁଯାୟୀ, ୨୦୨୫ରେ ଇଣ୍ଡଷ୍ଟ୍ରିରେ ବିକ୍ରି ଅଭିବୃଦ୍ଧି ୮ରୁ ୧୦ ପ୍ରତିଶତ ରହିବ। ମର୍ସିଡିଜ୍ ବେଞ୍ଜ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶତ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଆୟାର ମଧ୍ୟ ୨୦୨୫ ମସିହାରେ ବିଳାସପୂର୍ଣ୍ଣ ଗାଡ଼ି ବିକ୍ରିରେ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ୨୦୨୪ରେ ମର୍ସିଡିଜ୍ ବେଞ୍ଜ୍ର ଗାଡ଼ି ବିକ୍ରି ସଂଖ୍ୟା ୨୦ ହଜାର ହେବ ବୋଲି ଆଶା ରଖାଯାଇଛି। ଚଳିତବର୍ଷର ସେପ୍ଟେମ୍ବର ସୁଦ୍ଧା ୯ ମାସରେ ଗାଡ଼ି ବିକ୍ରିରେ ୧୩ ପ୍ରତିଶତ ବୃଦ୍ଧି ଘଟି ୧୪,୩୭୯ ୟୁନିଟ୍ ରହିଥିଲା। ସେହିଭଳି ଜାନୁଆରି-ସେପ୍ଟେମ୍ବର ସମୟ ମଧ୍ୟରେ ବିଏମ୍ଡବ୍ଲୁ ଇଣ୍ଡିଆର ଗାଡ଼ି ବିକ୍ରିରେ ପ୍ରାୟ ୫ ପ୍ରତିଶତ ବୃଦ୍ଧି ଘଟି ରେକର୍ଡ ୧୦,୫୫୬ରେ ରହିଛି।
୧୧ ମାସରେ ୧୮ ଲକ୍ଷ ଇଭି ବିକ୍ରି
ନୂଆଦିଲ୍ଲୀ: ଦେଶର ଅଟୋମୋବାଇଲ ଶିଳ୍ପରେ ବିଦ୍ୟୁତ୍ ଯାନ (ଇଭି)ର ପ୍ରଦର୍ଶନ ଚଳିତବର୍ଷ ଭଲ ରହିଛି। ଏପ୍ରିଲ ପହିଲାରୁ ନଭେମ୍ବର ଶେଷ ମଧ୍ୟରେ ୧୩.୦୬ ଲକ୍ଷ ଇଭି ବିକ୍ରି ହୋଇଛି। ନିକଟରେ ସଂସଦରେ ଭାରୀ ଶିଳ୍ପମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା ଏହି ସୂଚନା ଦେଇଛନ୍ତି। ତେବେ ଜାନୁଆରିରୁ ନଭେମ୍ବର ମଧ୍ୟରେ ମୋଟ ୧୮ ଲକ୍ଷ ୫ ହଜାର ୯୬୯ଟି ଇଭି ବିକ୍ରି ହୋଇଛି। ଚଳିତବର୍ଷ ଉପରୋକ୍ତ ସମୟ ମଧ୍ୟରେ ଦେଶରେ ମୋଟ ୨,୪୩,୯୮,୬୭୨ଟି ଗାଡ଼ି ବିକ୍ରି ହୋଇଥିବାବେଳେ ଏଥିରେ ଇଭିର ଅଂଶ ୭.୪୦ ପ୍ରତିଶତ ରହିଛି। ଇଭି ଯାନ ବଜାରକୁ ଆଗକୁ ନେବାରେ ଦୁଇ ଚକିଆ ଇଭିର ଯୋଗଦାନ ଅଧିକ ରହିଛି। ଚଳିତବର୍ଷର ୧୧ ମାସରେ ମୋଟ ୧୦,୭୪,୦୦୮ଟି ଦୁଇ ଚକିଆ ଇଭି, ୬ ଲକ୍ଷ ୩୧ ହଜାର ୮୫୫ଟି ୩ ଚକିଆ ଇଭି ଏବଂ ୮୯,୮୭୭ଟି କାର୍ ଓ ଏସ୍ୟୁଭି ବିକ୍ରି ହୋଇଛି। ଇଭି ବଜାରରେ ଯେଉଁ ଉତ୍ସାହ ଦେଖାଦେଇଛି ତାହା କେବଳ ଗ୍ରାହକଙ୍କ ପସନ୍ଦ ପାଇଁ ନୁହେଁ ବରଂ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ରାଶିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।