ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧୪ରୁ ଦେଶରେ ଆରମ୍ଭ ହୋଇଯିବ ବିବାହ ଋତୁ। ଏକ ଆକଳନ ଅନୁସାରେ ଏହି ଋତୁରେ ୪୮ ଲକ୍ଷରୁ ଅଧିକ ବାହାଘର ହେବାକୁ ଯାଉଛି। ବିବାହ ଉତ୍ସବ ଲାଗି ବିଭିନ୍ନ ସାମଗ୍ରୀ କିଣାକିଣି ହେବ। ତାହା ବ୍ୟବସାୟୀମାନଙ୍କ ଲାଗି ୫.୯ ଲକ୍ଷ କୋଟି ଟଙ୍କା ବେପାର କରିବା ସୁଯୋଗ ସୃଷ୍ଟି କରିବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି। ଦେଶର ୭୫ଟି ସହରରେ କରାଯାଇଥିବା ସର୍ବେକ୍ଷଣ ଆଧାରରେ ଏହି ଆକଳନ କରାଯାଇଛି। ଗତବର୍ଷ ଏହି ସମୟର ବିବାହ ଋତୁରେ ୩୫ ଲକ୍ଷ ବାହାଘର ହୋଇଥିବା ବେଳେ ୪.୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଗତବର୍ଷ ତୁଳନାରେ ଏଥର ବିବାହ ତିଥି ଅଧିକ ରହିଛି। ସେଥିପାଇଁ ଅଧିକ ବାହାଘର ହେବ। କେବଳ ଦିଲ୍ଲୀରେ ସାଢ଼େ ଚାରି ଲକ୍ଷ ବାହାଘର ହେବ ଓ ସେଥିପାଇଁ ଲୋକମାନେ ୧.୫ ଲକ୍ଷ କୋଟି ଟଙ୍କାର କିଣାକିଣି କରିବେ ବୋଲି ଜଣାପଡ଼ିଛି। ମହାସଂଘର ସଂଯୋଜକ ଦୁର୍ଗେଶ ତାରେ କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୧୨ରୁ ଆରମ୍ଭ ହେଉଥିବା ବିବାହ ଋତୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ। ଏହାପରେ ପୁଣି ଥରେ ୨୦୨୫ ଜାନୁଆରି ମଧ୍ୟ ଭାଗରୁ ବିବାହ ଋତୁ ଆରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।
ସିଏଆଇଟିର ଜାତୀୟ ସଭାପତି ବି ସି ଭର୍ତିଆ କହିଛନ୍ତି ଯେ ଦେଶରେ ଆଗକୁ ଏଭଳି ଏକ ଲକ୍ଷ ବିବାହ ହେବାକୁ ଯାଉଛି ଯେଉଁଥିରେ ୩ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ସେହିପରି ୧୦ ଲକ୍ଷ ବିବାହରେ ଖର୍ଚ୍ଚ ପରିମାଣ ୬ ଲକ୍ଷ ଲେଖାଏଁ ରହିବ। ଆଉ ୧୦ ଲକ୍ଷ ବାହାଘରରେ ପରିବାର ଲୋକ ବିବାହ ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ। ଅନ୍ୟ ୧୦ ଲକ୍ଷ ବାହାଘରରେ ବିବାହ ପିଛା ୧୫ ଲକ୍ଷ ଖର୍ଚ୍ଚ ହେବ। ୭ ଲକ୍ଷ ବାହାଘରରେ ବିବାହ ପିଛା ୨୫ ଲକ୍ଷ ଟଙ୍କା, ୫୦ ହଜାର ବାହାଘରରେ ବିବାହ ପିଛା ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି ଆଉ ୫୦ ହଜାର ବାହାଘରରେ ଏକ କୋଟି କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ବିବାହ ଖର୍ଚ୍ଚରୁ ସାମଗ୍ରୀ କିଣା ମଧ୍ୟରେ ୧୫ ପ୍ରତିଶତ ଗହଣା କିଣିବାରେ, ୫ ପ୍ରତିଶତ ଟିଭି ଓ ଫ୍ରିଜ୍ ଭଳି ଇଲେକ୍ଟ୍ରୋନିକ୍ସ ଓ କଞ୍ଜ୍ୟୁମର ଡ୍ୟୁରେବଲ୍ ଜିନିଷରେ, ୫ ପ୍ରତିଶତ ମିଠା ଓ ସ୍ନାକ୍ସ, ୫ ପ୍ରତିଶତ ଗ୍ରୋସରି ଓ ପନିପରିବା, ୪ ପ୍ରତିଶତ ଉପହାର ସାମଗ୍ରୀ, ୬ ପ୍ରତିଶତ ଅନ୍ୟାନ୍ୟ ସାମଗ୍ରୀରେ ଖର୍ଚ୍ଚ ହେବ। ସେହିପରି ହଲ୍ ବୁକିଂରେ ୫ ପ୍ରତିଶତ, କାର୍ଯ୍ୟକ୍ରମ ପରିଚାଳନାରେ ୫ ପ୍ରତିଶତ, ସାଜସଜ୍ଜାରେ ୧୨ ପ୍ରତିଶତ, କ୍ୟାଟରିଂ ସେବାରେ ୧୦ ପ୍ରତିଶତ, ଫୁଲ ସାଜସଜ୍ଜାରେ ୪ ପ୍ରତିଶତ, ପରିବହନରେ ୩ ପ୍ରତିଶତ ଏବଂ ଫଟୋଗ୍ରାଫି ଓ ଭିଡିଓ ଉତ୍ତୋଳନରେ ୨ ପ୍ରତିଶତ, ବାଜା ଓ ବ୍ୟାଣ୍ଡ୍ରେ ୩ ପ୍ରତିଶତ, ଆଲୋକ ଓ ସାଉଣ୍ଡ୍ରେ ୩ ପ୍ରତିଶତ ଏବଂ ଅବଶିଷ୍ଟ ୩ ପ୍ରତିଶତ ରାଶି ଅନ୍ୟାନ୍ୟ କାର୍ଯ୍ୟରେ ଖର୍ଚ୍ଚ ହେବ।