ଭୁବନେଶ୍ବର: ରାଜ୍ୟ ସରକାର ଛଅଟି ନୂଆ ବୟନ, ପୋଷାକ ଓ ଓୟାରେବଲ୍ ପାର୍କ ବିକାଶ କରୁଛନ୍ତି। ଏହି ପାର୍କଗୁଡ଼ିକରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ବୟନ କ୍ଷେତ୍ରର କମ୍ପାନିଗୁଡ଼ିକ ସିଧାସଳଖ ଆସି ସେହି ପାର୍କଗୁଡ଼ିକରେ ନିଜ କାରଖାନା ବସାଇପାରିବେ। ଚଳିତ ମାସ ୨୫ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ଟିଇଏକ୍ସ ୨୦୨୫’ରେ ଏହି ପାର୍କଗୁଡ଼ିକୁ ଉଦ୍ଘାଟନ କରାଯିବ। ୨୦୩୦ ସୁଦ୍ଧା ଓଡ଼ିଶାକୁ ଭାରତର ବୟନ ରାଜଧାନୀରେ ପରିଣତ କରିବା ଲକ୍ଷ୍ୟ ରଖି ରାଜ୍ୟ ସରକାର ଏହି କ୍ଷେତ୍ରର ନିବେଶକମାନଙ୍କୁ ପୁଞ୍ଜିନିବେଶ କରିବାକୁ ଆହ୍ବାନ ଦେଇଛନ୍ତି। ସେହି ମର୍ମରେ ଓଡ଼ିଶା ଟେକ୍ସ ୨୦୨୫ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ତାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ବୟନ କ୍ଷେତ୍ରର ଚର୍ଚ୍ଚିତ କମ୍ପାନି, ବିଶ୍ବସ୍ତରୀୟ ବ୍ରାଣ୍ଡ୍, ପୋଷାକ ନିର୍ମାତା, ପେସାଦାର ଓ ଷ୍ଟାର୍ଟଅପ୍ଗୁଡ଼ିକ ଏଥିରେ ସାମିଲ ହେବେ। ରାଜ୍ୟରେ ପୋଷାକ, ଟେକ୍ନିକାଲ ଟେକ୍ସଟାଇଲ୍, ଜୋତା, ଆସେସୋରିଜ୍ ଓ ଲଗେଜ୍ ଉତ୍ପାଦନ ଲାଗି ରହିଥିବା ନିବେଶ ସମ୍ଭାବନାଗୁଡ଼ିକୁ ସେମାନେ ଅନ୍ବେଷଣ କରିବେ। ଏହି ଅବସରରେ କେତେକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହେବ ଓ ନୂଆ ନିବେଶ ମଧ୍ୟ ଘୋଷଣା କରାଯିବ।
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଓଡ଼ିଶାକୁ ଅଗ୍ରଣୀ ବୟନ କମ୍ପାନିଗୁଡ଼ିକୁ ଆଣିବ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ରଗତିଶୀଳ ନୀତି, ବିଶ୍ବସ୍ତରୀୟ ଭିତ୍ତିଭୂମି ଓ କୁଶଳୀ ଶ୍ରମଶକ୍ତି ଜରିଆରେ ବୟନ ଶିଳ୍ପ ପାଇଁ ଆମେ ଏକ ଦୃଢ଼ ବ୍ୟବସ୍ଥା ଗଠନ କରିଛୁ। ତାହା ଶିଳ୍ପ ଅଭିବୃଦ୍ଧିକୁ ବଢ଼ାଇବା, ମହିଳା ସଶକ୍ତୀକରଣ ଓ ଗ୍ରାମୀଣ ରୂପାନ୍ତରଣରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ତ୍ରିପୁରା, ବେଙ୍ଗାଲୁରୁ, ସୁରଟ, ପଞ୍ଜାବ, ପଶ୍ଚିମବଙ୍ଗ ଓ ଏନ୍ସିଆର୍ ଭଳି ଅଞ୍ଚଳରୁ ୩୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ଶିଳ୍ପ ସଂଘ ଫିକି ତରଫରୁ ବିଭିନ୍ନ ଶିଳ୍ପ ସଂଘ ସହ ଆଲୋଚନା କରାଯାଉଛି।