୬ ରବି ଫସଲର ସର୍ବନିମ୍ନ ମୂଲ୍ୟ ବଢ଼ିଲା

କ୍ୟାବିନେଟ୍ ନେଲା ନିଷ୍ପତ୍ତି, ଲୋକସଭାରେ କୃଷିମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: କୃଷକ ବିଲ୍‌କୁ ନେଇ ସରକାରଙ୍କୁ ବିରୋଧୀ ଦଳ ଏବଂ କୃଷକ ସଂଗଠନ ଗୁଡ଼ିକ ସରକାରଙ୍କୁ ଉଭୟ ସଂସଦ ଭିତରେ ଏବଂ ବାହାରେ ଘେରିଛନ୍ତି। ଏହି ଆଇନ କାର୍ଯ୍ୟକାରୀ ହେଲେ ଦେଶରେ କୃଷକମାନଙ୍କ ପାଇଁ ଥିବା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉଠିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଆଶଙ୍କାକୁ ଆଜି ସରକାର ଏକ ପ୍ରକାର ଦୂର କରିଛନ୍ତି। ଆସନ୍ତା ରବି ଋତୁ ପାଇଁ ସରକାର ୬ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। ଅପରାହ୍ଣରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି।

ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଗହମର ସର୍ବନିମ୍ନ ମୂଲ୍ୟ ଆସନ୍ତା ଅମଳ ଋତୁରେ କ୍ବିଣ୍ଟାଲ ପିଛା ୧୯୭୫ ଟଙ୍କା ରହିବ। ସେହିଭଳି ଚଣା ମୂଲ୍ୟରେ ୨୨୫ ଟଙ୍କା, ମସୁର ମୂଲ୍ୟରେ ୩୦୦ ଟଙ୍କା, ସୋରିଷ ମୂଲ୍ୟରେ ୨୨୫ ଟଙ୍କା, ବାର୍ଲି ମୂଲ୍ୟରେ ୭୫ ଟଙ୍କା ଏବଂ କୁସୁମ ମୂଲ୍ୟରେ ୧୧୨ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି। ରବି ଫସଲ ପାଇଁ ସାଧାରଣ ଅକ୍ଟୋବର ମାସରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଥାନ୍ତି। କିନ୍ତୁ ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ଘୋଷଣା କରିଛନ୍ତି। ଚାଷୀମାନଙ୍କୁ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହିତ କରିବା ଲାଗି ସରକାର ଏହି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଥାନ୍ତି। ଏହି ମୂଲ୍ୟରେ ଚାଷୀଙ୍କ ଠାରୁ ସରକାର ଫସଲ ସଂଗ୍ରହ ମଧ୍ୟ କରିଥାନ୍ତି।

୨୦୧୮-୧୯ ବଜେଟ୍‌ରେ ଘୋଷଣା କରାଯାଇଥିବା ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣା ଆଧାରରେ ଏମ୍‌ଏସ୍‌ପି ଧାର୍ଯ୍ୟ କାଯାଇଛି। ସେହି ଅନୁସାରେ ଚାଷୀମାନଙ୍କୁ ଗହଣାମ ଉପରେ ୧୦୬ ପତିଶତ, ସୋରିଷରେ ୯୩ ପ୍ରତିଶତ, ଡାଲିରେ ୭୮ ପ୍ରତିଶତ ଓ ବାର୍ଲିରେ ୬୫ ପତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ। ପ୍ରକ୍ୟୁ‌‌ରମେଂଟ୍‌ କ୍ଷେତ‌୍ରରେ ଭାରତୀୟ ଖାଦ୍ୟ ନିଗମ ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସି ଚାଷୀମାନଙ୍କୁ ମୂଲ୍ୟ ସହାୟତା ଦେବା ଜାରି ରଖିବେ। ଡାଲିକୁ ନେଇ ସରକାର ଏକ ବଫର ଷ୍ଟକ ଗଠନ କରିଛନ୍ତି। ମୂଲ୍ୟ ସ୍ଥିରତା ପାଣ୍ଠିକୁ ବ୍ୟବହାର କରି ଡାଲି କିଣା ହେଉଛି। କରୋନା ମହାମାରୀ ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯିବା ସତ୍ବେ ସରକାର ରେକର୍ଡ ୩୯୦ ଲକ୍ଷ ଟନ୍ ଗହମ ସଂଗ୍ରହ କରିଛନ୍ତି। ଏହା ଦ୍ବାରା ପ୍ରାୟ ୪୪ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ୨୦୧୯-୨୦ରେ ୩୯୦ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଥିଲା। କରୋନା ସମୟରେ ଗହମ ଓ ତୈଳବୀଜ ସଂଗ୍ରହ କେନ୍ଦ୍ର ସଂଖ୍ୟା ଯଥାକ୍ରମେ ୧.୫ ଗୁଣା ଓ ୩ ଗୁଣା ବୃଦ୍ଧି କରାଯାଇଛି। ମହାମାରୀ ସମୟ‌ରେ ୭୫ ହଜାର ଟଙ୍କା ମୂଲ୍ୟର ଗହମ ସଂଗ୍ରହ କରାଯାଇଛି ଯାହା ଗତବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ।

ସମ୍ବନ୍ଧିତ ଖବର