ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଅଧୀନରେ ରାଜ୍ୟରେ ୬ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ୩୫୦ କୋଟି ଟଙ୍କା ନିବେଶ କରାଯାଉଛି। ସେଥି ମଧ୍ୟରୁ କେବଳ ୧.୪୮ କୋଟି ଟଙ୍କାରେ କାର୍ଯ୍ୟକାରୀ ହୋଇଥିବା ଗୋଟିଏ ପ୍ରକଳ୍ପ ଶେଷ ହୋଇଛି। ଅନ୍ୟ ୫ଟି ବଡ଼ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି ବୋଲି ‌କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ୍‌ ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚାନ୍ଦିପୁରରେ ଏକ ମାଛଧରା ବନ୍ଦର ବିକାଶ କରାଯାଉଛି ଯାହାର ପ୍ରକଳ୍ପ ଅଟକଳ ହେଉଛି ୫୦ କୋଟି ଟଙ୍କା। ସେଥିରୁ ୯.୯୯ କୋଟି ଟଙ୍କା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ସହଯୋଗିତାରେ ଏହି ପ୍ରକଳ୍ପ ବିକାଶ କରାଯାଉଛି। ସେହିପରି, ଖୋର୍ଦ୍ଧାର ବାଲୁଗାଁ ଓ ପୁରୀର କୃଷ୍ଣପ୍ରସାଦଗଡ଼ରେ ରୋପାକ୍ସ ଜେଟି ବିକାଶ କରାଯାଉଛି। ଏହାର ପ୍ରକଳ୍ପ ମୂଲ୍ୟ ୫୪ କୋଟି ଟଙ୍କା ଥିବା ବେଳେ ‌ଏପର୍ଯ୍ୟନ୍ତ ୯.୨୫ କୋଟି ଟଙ୍କା ହିଁ ଜାରି କରାଯାଇଛି। 

Advertisment

ଚାନ୍ଦିପୁରରେ ମାଛଧରା ବନ୍ଦର
ବାଲୁଗାଁ, କୃଷ୍ଣପ୍ରସାଦଗଡ଼ରେ ରୋପାକ୍ସ ଜେଟି

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗରେ ପାରାଦୀପରେ ଥିବା ମାଛଧରା ବନ୍ଦରର ଉନ୍ନତୀକରଣ ଓ ଆଧୁନିକୀକରଣ କାର୍ଯ୍ୟକୁ ମଧ୍ୟ ସାଗରମାଳା ପ୍ରକଳ୍ପ ଅଧୀନରେ ହାତକୁ ନିଆଯାଇଛି। ଏହି ପ୍ରକଳ୍ପର ଅଟକଳ ୧୦୮.୯୦ କୋଟି ଟଙ୍କା ହୋଇଥିବା ବେଳେ ସରକାର ମାତ୍ର ୪.୪୯ କୋଟି ଟଙ୍କା ଜାରି କରିଛନ୍ତି। ୨୨.୮୭ କୋଟି ଟଙ୍କାରେ କାର୍ଯ୍ୟକାରୀ କରାଯାଉଥିବା ଉପକୂଳ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ-ଦ୍ବିତୀୟ ପର୍ଯ୍ୟାୟ ଲାଗି ୫.୭୦ କୋଟି ଟଙ୍କା ଜାରି କରାଯାଇଛି। ଏତଦ୍‌ ବ୍ୟତୀତ, କାନିନାଳୀ ଓ ତାଳଚୁଆରେ ରୋପାକ୍ସ ଜେଟି ବିକାଶ ଲାଗି ୧୧୦.୦୬ କୋଟି ଟଙ୍କାର ବଜେଟ୍‌ ଧାର୍ଯ୍ୟ କରାଯାଇଛି। ସେଥିରୁ ସରକାର ୨୫.୧୫ କୋଟି ଟଙ୍କା ଜାରି କରିଥିବା ମନ୍ତ୍ରୀ ଶ୍ରୀ ସୋନାୱାଲ ସୂଚନା ଦେଇଛନ୍ତି। ରାଜ୍ୟରେ କେବଳ ଉପକୂଳ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ହିଁ ସଫଳତାର ସହ ଶେଷ ହୋଇଛି। 

ଜଳପଥରେ ଗମନାଗମନ ଓ ପରିବହନକୁ ତ୍ବରାନ୍ବିତ କରିବା ଲାଗି ସାଗରମାଳା ପ୍ରକଳ୍ପ ଅଧୀନରେ ରୋପାକ୍ସ ଜେଟି ବିକାଶ କରାଯାଉଛି। ଏହା ଜରିଆରେ ଯାତ୍ରୀବାହୀ ଜାହାଜ ଚଳାଚଳ କରିପାରିବ, ଯଦ୍ବାରା ପରିବହନ ଖର୍ଚ୍ଚ କମ୍ ହେବ, କାରବାର ବଢ଼ିବ ଏବଂ ସଡ଼କ ଉପରେ ନିର୍ଭରଶୀଳତା କମିବ। ଉପକୂଳ ପର୍ଯ୍ୟଟନକୁ ତାହା ଦୃଢ଼ କରିବ। ଲୋକମାନେ ଅପହଞ୍ଚ ସ୍ଥାନଗୁଡ଼ିକରେ ପହଞ୍ଚିପାରିବେ ଯାହା ସ୍ଥାନୀୟ ଓ ଧାର୍ମିକ ପର୍ଯ୍ୟଟନକୁ ବଳ ପ୍ରଦାନ କରିବ।