ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ଘୋଷଣା କରିଥିବା ବିମୁଦ୍ରୀକରଣକୁ ଆସନ୍ତାକାଲି ୬ ବର୍ଷ ପୂରିବ। ଦୁର୍ନୀତି ଓ କଳାଧନ ରୋକିବା ଏବଂ ଦେଶକୁ ଏକ କମ୍ ନଗଦ ବ୍ୟବହାର ହେଉଥିବା ଅର୍ଥନୀତିରେ ପରିଣତ କରିବା ଭଳି ଲକ୍ଷ୍ୟ ନେଇ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା। ସେହିଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଥିଲେ। ତାହାକୁ ବଦଳାଇବା ଲାଗି ଲୋକମାନଙ୍କୁ କିଛି ସମୟ ଦିଆଯାଇଥିଲା। ସେହି ସମୟରେ ଲୋକମାନେ ବ୍ୟାଙ୍କ ଶାଖା ଏବଂ ଏଟିଏମ୍ରେ ଲମ୍ବା ଧାଡ଼ିରେ ଠିଆ ହୋଇ ବେଶ ହନ୍ତସନ୍ତ ହୋଇଥିଲେ। ବିମୁଦ୍ରୀକରଣ ପରେ ନୂଆ ୨୦୦୦ ଟଙ୍କିଆ ନୋଟ୍ ଆସିଥିଲା। ବର୍ତ୍ତମାନ ବଜାରରେ ତାହାକୁ ବିଶେଷ ଦେଖିବାକୁ ମିଳୁନାହିଁ। ଏହା ବ୍ୟତୀତ ସରକାର ନୂଆ ରୂପରେ ୫୦୦ ଟଙ୍କିଆ, ୫୦ ଟଙ୍କିଆ, ୨୦ ଟଙ୍କିଆ ଏବଂ ସମ୍ପୂର୍ଣ୍ଣ ନୂଆ ୨୦୦ ଟଙ୍କିଆ ନୋଟ୍ ମଧ୍ୟ ଆଣିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିମୁଦ୍ରୀକରଣର କିଛି ବର୍ଷ ପରେ ଆସିଥିବା ରିଜର୍ଭ ବ୍ୟାଙ୍କର ରିପୋର୍ଟରୁ ଜଣାପଡ଼ିଥିଲା ଯେ ବିମୁଦ୍ରୀକରଣ ଘୋଷଣା ବେଳେ ଯେତିକି ପରିମାଣର ମୁଦ୍ରା ପ୍ରଳଚନରେ ଥିଲା ସେଥିରୁ ପ୍ରାୟ ସବୁ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ତେଣୁ ଏହି କଠୋର ପଦକ୍ଷେପର କିଛି ଲାଭ ମିଳିଲା ନାହିଁ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି। ଗତକାଲି ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବିମୁଦ୍ରୀକରଣର ୬ ବର୍ଷ ପରେ ଲୋକମାନଙ୍କ ପାଖରେ ରେକର୍ଡ ୩୧ ଲକ୍ଷ କୋଟି ଟଙ୍କାର ନଗଦ ରାଶି ରହିଛି। ୬ ବର୍ଷ ପୂର୍ବେ ସେମାନଙ୍କ ପାଖରେ ୧୭.୭ ଲକ୍ଷ କୋଟି ଟଙ୍କାର ନଗଦ ରାଶି ଥିଲା। ଏମିତି ନୁହେଁ ଯେ ବିମୁଦ୍ରୀକରଣର କିଛି ଲାଭ ମିଳିନାହିଁ। ଏହି ପଦକ୍ଷେପ ପରେ ଟିକସଦାତାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ୨୦୧୫-୧୬ରେ ଟିକସଦାତାଙ୍କ ସଂଖ୍ୟା ୬୧ ନିୟୁତ ଥିବା ବେଳେ ଏହାର ପରବର୍ତ୍ତୀ ଦୁଇ ବର୍ଷରେ ତାହା ୮୫ ନିୟୁତକୁ ବୃଦ୍ଧି ପାଇଥିଲା। ଡିଜିଟାଲ୍ କାରବାରରେ ମଧ୍ୟ ବଡ଼ ଧରଣର ବୃଦ୍ଧି ହୋଇଛି। ଟିକସ ସଂଗ୍ରହରେ ମଧ୍ୟ ବିମୁଦ୍ରୀକରଣର ଲାଭ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିବା ଦାବି ହେଉଛି।