ବିମୁଦ୍ରୀକରଣକୁ ୬ବର୍ଷ : ଅର୍ଥନୈତିକ ଗଣହତ୍ୟା ବୋଲି କହିଲେ ବିରୋଧୀ

ନୂଆଦିଲ୍ଲୀ : ୨୦୧୬ରେ ହୋଇଥିବା ବିମୁଦ୍ରିକରଣକୁ ଇତି ମଧ୍ୟରେ ୬ ବର୍ଷ ପୂରଣ ହୋଇଛି । ଏହି ପ୍ରସଙ୍ଗରେ ଆଜି ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ବିମୁଦ୍ରିକରଣକୁ ପେପିଏମ୍ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ଜାଣିଶୁଣି କରିଥିଲେ ଯଦ୍ବାରା କି ତାଙ୍କର ୨-୩ ଜଣ କୋଟିପତି ବନ୍ଧୁ ଅର୍ଥନୀତିକୁ ନିଜ ହାତମୁଠାରେ ରଖିପାରିବେ ।

କଂଗ୍ରେସ ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି ଯେ, ୬ ବର୍ଷ ପୂର୍ବେ ନରେନ୍ଦ୍ର ମୋଦୀ ମନଇଚ୍ଛା କରିଥିବା ବିମୁଦ୍ରିକରଣ ଭାରତକୁ ଏକ ଡିଜିଟାଲ ଇକୋନୋମି କରିବାରେ ବିଫଳ ହୋଇଥିଲା । ଏବେ ଦେଶରେ ୩୦.୮୮ ଲକ୍ଷ କୋଟିର ନଗଦ ଟଙ୍କା ରହିଛି ।

ସେହିପରି ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିନା ଯୋଜନାରେ କରାଯାଇଥିବା ଏହି ନୀତି  ସଂପୂର୍ଣ୍ଣଭାବେ ବିଫଳ ହୋଇଯାଇଥିଲା । ମାର୍କେଟ୍ କ୍ରାସ କରିଗଲା, ଅର୍ଥନୀତି ମାନ୍ଦା ହୋଇଗଲା, କିନ୍ତୁ କଳାଧନ ଏବେ ବି ଅଛି ।

ଟିଏମସି ନେତା ଡେରେକ ଓବ୍ରାଏନ କହିଛନ୍ତି ଯେ ୬ ବର୍ଷ ତଳେ କରାଯାଇଥିବା ଏକ କିମିଆ ସଂପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଥିଲା ଓ ଦେଶ ପାଇଁ ଏକ ଅର୍ଥନୈତିକ ଗଣହତ୍ୟାରେ ପରିଣତ ହୋଇଥିଲା ।

କେନ୍ଦ୍ର ସରକାର ଗତ ୨୦୧୬, ନଭେମ୍ବର ୮ ରେ ବିମୁଦ୍ରିକରଣ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଭିରେ ଏ ନେଇ ଘୋଷଣା କରିବା ପରେ ଦେଶରେ ଚହଳ ପଡ଼ିଯାଇଥିଲା । ସରକାରଙ୍କ ଅନୁସାରେ ଏହାର ଏକ ମୁଖ୍ୟ ଲକ୍ଷ୍ୟ ଥିଲା ଦେଶରୁ ଜାଲ ନୋଟ କାରବାରକୁ ସମାପ୍ତ କରିବା । କିନ୍ତୁ ଏହାର ୬ ବର୍ଷ ପରେ ବି ଦେଶରେ ଜାଲ ନୋଟ କାରବାର ବଢିଚାଲିଛି ।

 

 

ସମ୍ବନ୍ଧିତ ଖବର