ସଡ଼କ ନିର୍ମାଣରେ ୬୦% ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ର ପ୍ରଥମ ଦୁଇ ମାସରେ ସଡ଼କ ନିର୍ମାଣରେ ୬୦% ବୃଦ୍ଧି ‌ହୋଇଛି। କୋଭିଡ୍ ମହାମରୀ ମୁକାବିଲା ଲାଗି ବିଭିନ୍ନ ସ୍ଥାନରେ କଟକଣା ଲାଗିଥିବା ସତ୍ତ୍ବେ ଏପ୍ରିଲ୍ ଓ ମେ’ ମାସରେ ୧୪୭୦ କିମି ରାସ୍ତା ତିଆରି କରାଯାଇଛି। ଗତବର୍ଷ ଏହି ସମୟରେ ୮୪୭ କିମି ରାସ୍ତା ତିଆରି ହୋଇଥିଲା। ଏହା ସମ୍ପୂର୍ଣ୍ଣ ତଥ୍ୟ ନୁହେଁ। ମହାରାଷ୍ଟ୍ର ଓ ଗୋଆର ତଥ୍ୟକୁ ଏଥିରେ ସାମିଲ କରାଯାଇନାହିଁ। ଚୂଡ଼ାନ୍ତ ତଥ୍ୟରେ ଅଧିକ ସଡ଼କ ନିର୍ମାଣ ହୋଇଥିବ ବୋଲି କୁହାଯାଉଛି।

୨୦୨୦-୨୧ରେ ଦେଶରେ‌ ରେକର୍ଡ ୧୩,୨୯୮ କିମି ସଡ଼କ ନିର୍ମାଣ କରାଯାଇଥିଲା ଯାହା ୨୦୧୯-୨୦ରେ ନିର୍ମାଣ କରାଯାଇଥିବା ୧୦,୨୪୦ କିମି ଠାରୁ ଯଥେଷ୍ଟ ଅଧିକ। ସଡ଼କ ନିର୍ମାଣ ଲାଗି କେନ୍ଦ୍ର ସରକାର ଏକ ମହତ୍ବକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରତମାଳା ପରିଯୋଜନାରେ ୬୫,୦୦୦ କିମି ସଡ଼କ ତିଆରି କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ଆସନ୍ତା ୫ ବର୍ଷ ଭିତରେ ୩୪,୮୦୦ କିମି ରାଜପଥ ତିଆରି କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିରେ ୫ ଲକ୍ଷ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ମଧ୍ୟରୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ୨୭,୫୦୦ କିମି ସଡ଼କ ନିର୍ମାଣ କରିବେ।

ସମ୍ବନ୍ଧିତ ଖବର