ଦେଶରେ ୬୦୦ ବେଆଇନ ଋଣ ଆପ୍

ନୂଆଦିଲ୍ଲୀ: ଦେଶରେ ୬୦୦ରୁ ଅଧିକ ଡିଜିଟାଲ୍ ଋଣ ଆପ୍ ରହିଛି ଯେଉଁମାନେ ବେଆଇନ ଉପାୟରେ କାରବାର କରୁଛନ୍ତି। ଲୋକମାନଙ୍କୁ ସହଜ ଉପାୟରେ ଋଣ ଦେଇ ତାଙ୍କୁ ଏଭଳି ଏକ ଜାଲରେ ଛନ୍ଦି ଦେଉଛନ୍ତି ଯେଉଁଥିରୁ ଉଦ୍ଧାର ପାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ମୋଟା ଅଙ୍କର ସୁଧ ହାର ଆଦାୟ କରି ଏହି ସଂସ୍ଥାଗୁଡ଼ିକ ଗ୍ରାହକଙ୍କୁ ହଇରାଣ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ୱାର୍କିଂ ଗ୍ରୁପ୍ ଦେଇଥିବା ରିପୋର୍ଟରେ ଏତେ ଅଧିକ ବେଆଇନ ଋଣ ଆପ୍ ଥିବା କୁହାଯାଇଛି। ଅଧିକାଂଶ ଆପ୍ ଆଣ୍ଡ୍ରଏଡ୍‌ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ରହିଛି। ଏହି ଆପ୍‌ଗୁଡ଼ିକ ଦେଶର କୌଣସି ନିୟାମକ ବ୍ୟବସ୍ଥା ଅଧୀନରେ ନାହାନ୍ତି। ଗ୍ରାହକଙ୍କ ଠାରୁ ମୋଟା ଅଙ୍କର ସୁଧ ଆଦାୟ କରିବା ବ୍ୟତୀତ ସେମାନେ ଫୋନ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ ଚୋରି କରୁଛନ୍ତି। ଋଣ ଶୁଝିପାରୁନଥିବା ଗ୍ରାହକଙ୍କୁ ଲଜ୍ଜିତ କରି ବିଭିନ୍ନ ଉପାୟରେ ହଇରାଣ ମଧ୍ୟ କରୁଛନ୍ତି।

ରିଜର୍ଭ ବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶରେ ୧୧୦୦ରୁ ଅଧିକ ଆପ୍ ରହିଛି ଯେଉଁମା‌ନେ ଡିଜିଟାଲ୍ ମାଧ୍ୟମରେ ଋଣ ଦେଉଛନ୍ତି। ସେଥିରୁ ପ୍ରାୟ ଅଧା ଆପ୍ ବେଆଇନ ଭାବେ କାରବାର କରୁଛନ୍ତି। ଡିଜିଟାଲ୍ ଋଣ ଆପ୍‌ଗୁଡ଼ିକ ବ୍ୟକ୍ତିଗତ, ଗାଡ଼ି ଓ ସୁନା ଋଣ ଆଦି ଦେଉଛନ୍ତି। ଗ୍ରାହକଙ୍କ ଅଭିଯୋଗ ଗ୍ରହଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ଥାପନ କରାଯାଇଥିବା ସାଚେଟ୍ ପୋର୍ଟାଲ୍‌ରେ ଡିଜିଟାଲ୍ ଋଣ ଆପ୍‌ଗୁଡ଼ିକ ବିରୋଧରେ ଅଭିଯୋଗ ବଢ଼ିବାରେ ଲାଗିଛି। ୨୦୨୦ ଜାନୁଆରିରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏଭଳି ଆପ୍ ବିରୋଧରେ ୨୫୬୨ ଅଭିଯୋଗ ଆସିଥିଲା। ଯେଉଁ ଆପ୍‌ଗୁଡ଼ିକ ବିରୋଧ ଅଭିଯୋଗ ଆସିଥିଲା ସେଥିରୁ କେହିବି ନିୟାମକ ବ୍ୟବସ୍ଥା ଅଧୀନରେ ପରିଚାଳିତ ହେଉନଥିଲେ। ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ସହ ବୁଝାମଣା କରି ଋଣ ଦେଉଥିବା ଆପ୍‌ଗୁଡ଼ିକ ବିରୋଧରେ ମଧ୍ୟ ଅଭିଯୋଗ ରହିଥିଲା।

ସମ୍ବନ୍ଧିତ ଖବର