୬ ହଜାର ବ୍ୟାଙ୍କ ଶାଖାରେ ତାଲା: ୬ ହଜାର କୋଟିର ବ୍ୟାଙ୍କ କାରବାର ଠପ୍‌

ଭୁବନେଶ୍ବର: ଗତ ୭ ଦିନ ଭିତରେ ଦ୍ବିତୀୟ ଥର ପାଇଁ ଆଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ଓଡ଼ିଶାରେ ପ୍ରାୟ ୪୦ ହଜାର କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ। ଫଳରେ ରାଜ୍ୟରେ ବ୍ୟାଙ୍କ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବିଜୟା ବ୍ୟାଙ୍କ, ଦେନା ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ମଧ୍ୟରେ ମିଶ୍ରଣକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍‌ୟୁ) ଅଧୀନରେ ୯ଟି ବ୍ୟାଙ୍କ ସଂଘ ଆଜି ଧର୍ମଘଟ କରିଥିଲେ। ୟୁବିଏଫ୍‌ୟୁର ଓଡ଼ିଶା ସଂଯୋଜକ ସମ୍ବିତ ମିଶ୍ର କହିଛନ୍ତି ଯେ, ବ୍ୟାଙ୍କ ମଧ୍ୟରେ ମିଶ୍ରଣ କରି ସରକାର ଫସି ରହିଥିବା ଋଣ ଆଦାୟ କରିବାକୁ ଚାହୁଁଛନ୍ତି। ମିଶ୍ରଣ ଜରିଆରେ ଋଣ ବୋଝ ହାଲୁକା ହୋଇପାରିବ ନାହିଁ। ଷ୍ଟେଟ୍ ବ୍ୟାଙ୍କ ଓ ଏହାର ସହଯୋଗୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହେବା ପରେ ପାଖାପାଖି ୧୦୦୦ ଶାଖା ବନ୍ଦ କରାଯାଇଥିବା ବେଳେ ୪୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମିଶ୍ରଣ ଦ୍ବାରା କେବଳ ବ୍ୟାଙ୍କଗୁଡ଼ିକୁ ସଙ୍କୁଚିତ କରାଯାଉଛି। ଏହା ଦ୍ବାରା ଅଳ୍ପ ବିକଶିତ ରାଜ୍ୟଗୁଡ଼ିକରେ ପୁଞ୍ଜିନିବେଶ ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ରାଜ୍ୟର ପାଖାପାଖି ୬ ହଜାର ଶାଖାରେ ଆଜି ବ୍ୟାଙ୍କ କାରବାର ବନ୍ଦ ରହିଥିଲା। ଚେକ୍ କ୍ଲିୟରିଂ, ବୈଦେଶିକ ମୁଦ୍ରା କାରବାର, ଋଣ ମଞ୍ଜୁର ଓ ଶାଖାରେ ହେଉଥିବା ଅନ୍ୟାନ୍ୟ ସବୁ ପ୍ରକାର ସେବା ଆଜି ବନ୍ଦ ରହିଥିଲା। ଏଥିାଇଁ ପାଖାପାଖି ୫-୬ ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର