ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)କୁ ୪ଜି ସେବା ଲାଗି କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କା ଦେଇଛନ୍ତି। ଗ୍ରାହକଙ୍କ ନିକଟରେ ୪ଜି ସେବାକୁ ପହଞ୍ଚାଇବାରେ ଭିତ୍ତିଭୂମି ବ୍ୟବସ୍ଥା କରିବା ଦିଗରେ କମ୍ପାନି ଏହି ଟଙ୍କା ଖର୍ଚ୍ଚ କରିବ। ଗତ ଶୁକ୍ରବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ କମିଟି ବୈଠକରେ ବିଏସ୍ଏନ୍ଏଲ୍ ଓ ଏନ୍ଟିଏନ୍ଏଲ୍କୁ ୬୦୦୦ କୋଟି ଟଙ୍କା ଦେବା ପ୍ରସ୍ତାବ ଏଜେଣ୍ଡାରେ ଥିଲା। ସେହି ପ୍ରସ୍ତାବକୁ ଅନୁମୋଦନ ମିଳିଥାଇପାରେ। କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ସେ ସମ୍ପର୍କରେ କିଛି ଘୋଷଣା କରାଯାଇନାହିଁ।
ପ୍ରସ୍ତାବ ଅନୁସାରେ ଏହି ପାଣ୍ଠିକୁ ବ୍ୟବହାର କରି ୧ ଲକ୍ଷ ୪ଜି ସାଇଟ୍ ସ୍ଥାପନ କରାଯିବ। ସର୍ବଭାରତୀୟ ସ୍ତରରେ ୪ଜି ସେବାକୁ ବ୍ୟାପକ କରିବା ଲାଗି ବିଏସ୍ଏନ୍ଏଲ୍ର ଯେଉଁ ଯୋଜନା ଥିଲା, ସେଥିପାଇଁ ୧୯ହଜାର କୋଟି ଟଙ୍କା ଦରକାର ହେଉଥିଲା। ସେଥିରୁ ୧୩ହଜାର କୋଟି ଟଙ୍କାକୁ କମ୍ପାନି ଖର୍ଚ୍ଚ କରିସାରିଛି। ଅବଶିଷ୍ଟ ଭିତ୍ତିଭୂମି ଗଠନ ଲାଗି ଏହା ଆଉ ୬୦୦୦ କୋଟି ଆବଶ୍ୟକ ଥିଲା। ସେଥିପାଇଁ କମ୍ପାନି ଟେଲିକମ ବିଭାଗକୁ ଏକ ପ୍ରସ୍ତାବ ଦେଇଥିଲା। ସେହି ପ୍ରସ୍ତାବକୁ କ୍ୟାବିନେଟ୍ରେ ଉପସ୍ଥାପନ କରାଯାଇଥିଲା।