ଡାକ ବିଭାଗର ଛାତ୍ରବୃତ୍ତି ଯୋଜନା: ମିଳିବ ୬ ହଜାର ଟଙ୍କା

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ ଟିକଟ ସଂଗ୍ରହ ରୁଚିକୁ ପ୍ରୋତ୍ସାହନ ପାଇଁ ଡାକ ବିଭାଗ ଦୀନ ଦୟାଲ ସ୍ପର୍ଶ ଯୋଜନା -୨୦୧୮ ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ର, ଯେଉଁମାନଙ୍କର ଡାକ ଟିକଟ ସଂଗ୍ରହରେ ରୁଚି ରହିଥିବ ସେମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏହି ପ୍ରତିଯୋଗିତାକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଡାକ ଟିକଟ ସମ୍ପର୍କିତ ଏକ କୁଇଜ ପ୍ରତିଯୋଗିତା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କୁ ଡାକ ଟିକଟ ସଂଗ୍ରହ ସମ୍ପର୍କିତ ପ୍ରକଳ୍ପ ଉପସ୍ଥାପନ କରିବାକୁ ପଡ଼ିବ। ଏହି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ପ୍ରତିଯୋଗିତା ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୧୮ ଅଗଷ୍ଟ ୧୬ ରଖାଯାଇଛି। ପ୍ରତିଯୋଗୀମାନେ ସୂଚନା ପାଇଁ ମୁଖ୍ୟ ଡାକ ମହାପ୍ରବନ୍ଧକ, ଭୁବନେଶ୍ୱର, ଡାକ ମହାପ୍ରବନ୍ଧକ ସମ୍ବଲପୁର ଓ ବ୍ରହ୍ମପୁର ଏବଂ ନିକଟସ୍ଥ ଡାକ ବିଭାଗର ଅଧୀକ୍ଷକ ଓ ବରିଷ୍ଠ ଅଧୀକ୍ଷକଙ୍କୁ ଯୋଗାଯୋଗ କରିପାରିବେ। ପ୍ରତିଯୋଗିତା ସମ୍ପର୍କିତ ବିସ୍ତୃତ ତଥ୍ୟ ଡାକ ବିଭାଗର େଓ୍ଵବସାଇଟ୍‌ odishapost.gov.inରେ ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର