ଆଦାନି ଗ୍ରୁପ୍‌ରେ ଏଲ୍‌ଆଇସିର ୬,୧୮୩ କୋଟି: ନିର୍ମଳା

ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିପୋର୍ଟ ଲାଗି ଅଡ଼ୁଆ ସ୍ଥିତି ଦେଇ ଗତି କରୁଥିବା ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ରେ ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମର ଥିବା ଋଣ ରାଶି ପରିମାଣ ଚଳିତ ବର୍ଷ ମାର୍ଚ୍ଚ ୫ ସୁଦ୍ଧା‌ ୬,୧୮୩ କୋଟି ଟଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଗତବର୍ଷ ଡିସେମ୍ବର ସୁଦ୍ଧା ଏହାର ମୂଲ୍ୟ ୬,୩୪୭ କୋଟି ଟଙ୍କା ଥିଲା। ଏବେ ସେଥିରେ ସାମାନ୍ୟ ହ୍ରାସ ଘଟିଛି। ଆଦାନି ଗ୍ରୁପ୍‌ର ୧୦ଟି କଂପାନିର ସେୟାର ଷ୍ଟକ ବଜାରରେ କାରବାର ହେଉଥିବା ବେଳେ ସେଥିରୁ ୭ଟି କଂପାନିରେ ଏଲ୍‌ଆଇସିର ଟଙ୍କା ଲାଗିଛି।

ଆଦାନି ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ରେ ସର୍ବାଧିକ ୫,୩୯୦ କୋଟି ଟଙ୍କା ରହିଥିବା ବେଳେ ଆଦାନି ପାୱାରରେ ୨୨୬ କୋଟି ଟଙ୍କା, ଆଦାନି ପାୱାର ମହାରାଷ୍ଟ୍ର-ଫେଜ୍‌ ୧ରେ ୮୧.୬୦ କୋଟି ଟଙ୍କା, ଆଦାନି ପାୱାର ମହାରାଷ୍ଟ୍ର ଫେଜ୍‌-୨ରେ ୨୫୪.୮୭ କୋଟି ଟଙ୍କା, ରାଇଗଡ଼ ଏନର୍ଜି ଜେନେରେସନ ଲିମିଟେଡ୍‌ରେ ୪୫ କୋଟି ଟଙ୍କା ଏବଂ ରାଇପୁର ଏନର୍ଜେନ୍‌ ଲିମିଟେଡ୍‌ରେ ଏଲ୍‌ଆଇସିର ୧୪୫.୬୭ କୋଟି ଟଙ୍କା ରହିଛି। ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ଦେଶର ପାଞ୍ଚଟି ସରକାରୀ ସାଧାରଣ ବୀମା କଂପାନିର ଟଙ୍କାଟିଏ ବି ଆଦାନି ଗ୍ରୁପ୍‌ରେ ଲାଗିନାହିଁ। ସରକାରୀ ବ୍ୟାଙ୍କଗୁଡ଼ିକ ଆଦାନିର ବିଭିନ୍ନ ପ୍ରକଳ୍ପର ସ୍ଥାୟିତ୍ବ, କାରବାରରେ ତିଷ୍ଠି ରହିବାର କ୍ଷମତା, ନଗଦ ରାଶି ପ୍ରବାହ, ବିପଦ ମାତ୍ରା, ବନ୍ଧକ ଆଦି ବିଚାରକୁ ନେଇ ଋଣ ଦେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର