ନୂଆଦିଲ୍ଲୀ: ଭାରତରେ କେବଳ ୩୮ ପ୍ରତିଶତ ଲୋକ ଋଣମୁକ୍ତ। ଚିନ୍ତାର ବିଷୟ ହେଲା ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଋଣ ବାବଦ ମାସିକ କିସ୍ତି (ଇଏମ୍‌ଆଇ) ଭରଣା କରୁଛନ୍ତି। ଅନ୍ୟପକ୍ଷରେ କହିଲେ ୬୨ ପ୍ରତିଶତ ଲୋକଙ୍କ ମୁଣ୍ଡରେ ଋଣବୋଝ ରହିଛି। ୭୩ ପ୍ରତିଶତ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ବୀମା ନାହିଁ କିମ୍ବା ଯଦି ବି ରହିଛି ତାହା ପର୍ଯ୍ୟାପ୍ତ ନୁହେଁ। ୭୪ ପ୍ରତିଶତ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଜୀବନ ବୀମା ନାହିଁ। ଅର୍ଥାତ୍‌ ଯଦି କିଛି ଅପ୍ରତ୍ୟାଶିତ ବିପଦ ଦେଖା‌ଦିଏ ତା’ହେଲେ ଅନେକ ବ୍ୟକ୍ତି ଆର୍ଥିକ ବୋଝକୁ ସମ୍ଭାଳି ପାରିବେ ନାହିଁ ବୋଲି ‌ଫିନୋଭେଟ୍‌ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି। ମୋଟ ୨୦ ନମ୍ବରର ଆର୍ଥିକ ଫିଟ୍‌ନେସ୍‌ ସ୍କୋରରୁ ଲୋକଙ୍କ ହାରାହାରି ସ୍କୋର ୫.୨୯ ରହିଛି।

Advertisment

ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୧ ପ୍ରତିଶତ କହିଛନ୍ତି ସେମାନେ ଇକ୍ବିଟିରେ ନିବେଶ କରିଛନ୍ତି। ୫୩ ପ୍ରତିଶତ ବ୍ୟକ୍ତି ସେମାନଙ୍କ ମୋଟ ସଞ୍ଚୟର ୩୦ ପ୍ରତିଶତରୁ କମ୍‌ ଇକ୍ବିଟିରେ ଖଟାଇଛନ୍ତି। ୫୪ ପ୍ରତିଶତ ଲୋକ ଜାଣିନାହାନ୍ତି ସେମାନଙ୍କ ନିବେଶର ବାର୍ଷିକ ଲାଭ ହାର କେତେ ରହୁଛି। ୪୦ ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ ସେମାନେ ଆର୍ଥିକ ଦସ୍ତାବିଜ୍‌ଗୁଡ଼ିକୁ ଏକାଠି କରି ରଖିନାହାନ୍ତି। ବୟସ୍କ ନାଗରିକଙ୍କ କ୍ଷେତ୍ରରେ ଏହି ହାର ୨୬ ପ୍ରତିଶତ ରହିଛି। ଏଥିସହିତ ୩୬ ପ୍ରତିଶତ ଲୋକ ସେମାନଙ୍କ ସଂପତ୍ତି ପାଇଁ ନୋମିନି ଏବଂ ହିତାଧିକାରୀଙ୍କ ନାମ ଉଲ୍ଲେଖ କରିନାହାନ୍ତି।

୧୮ରୁ ୩୦ ବର୍ଷ ବର୍ଗର ବ୍ୟକ୍ତିମାନଙ୍କ ଆର୍ଥିକ ଫିଟ୍‌ନେସ୍‌ ସ୍କୋର୍‌ ସବୁଠୁ କମ୍‌ ରହିଛି। ଯୋଜନା ଅଭାବରୁ ଏହା ହୋଇଛି। ୩୦ରୁ ୪୫ ବର୍ଷ ବର୍ଗର ୫୮ ପ୍ରତିଶତ ବ୍ୟକ୍ତି ସେମାନଙ୍କ ଆୟର ୩୦ ପ୍ରତିଶତରୁ କମ୍‌ ନିବେଶ କରୁଛନ୍ତି। ଏଥିଯୋଗୁ ସେମାନଙ୍କ ଅବସରକାଳୀନ ପାଣ୍ଠି ପର୍ଯ୍ୟାପ୍ତ ରହୁନାହିଁ। ୪୫ରୁ ୬୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ନିକଟରେ ପର୍ଯ୍ୟାପ୍ତ ସଞ୍ଚୟ ରହୁନାହିଁ ଏବଂ ସେମାନଙ୍କ ଟିକସ ଯୋଜନା ମଧ୍ୟ ଦୁର୍ବଳ। ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ମଧ୍ୟରୁ ୨୯ ପ୍ରତିଶତ ସେମାନଙ୍କ ବର୍ତ୍ତମାନର ନିଟ୍‌ ସଂପତ୍ତି ସଂପର୍କରେ ଅବଗତ ନାହାନ୍ତି। ଆର୍ଥିକ ସାକ୍ଷରତା କ୍ଷେତ୍ରରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପର୍ଯ୍ୟାପ୍ତ ସୁଯୋଗ ଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଆବଶ୍ୟକ ଆର୍ଥିକ ଜ୍ଞାନ ରହୁନାହିଁ। ଏବେ ବି ଅଧିକାଂଶ ବ୍ୟକ୍ତି ସଂପତ୍ତି ଏବଂ ସୁନାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ଏକ ଗବେଷଣା ସନ୍ଦର୍ଭରୁ ଜଣାଯାଇଛି ଯେ ଭାରତରେ ୪ ପ୍ରତିଶତରୁ କମ୍ ଲୋକ ଇକ୍ବିଟି ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରିଛନ୍ତି। ୟୁରୋପ ଏବଂ ଆମେରିକା ଭଳି ଦେଶରେ ଏହା ୩ରୁ ୪ ଗୁଣା ଅଧିକ। ଫିନୋଭେଟ୍‌ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ୧୭୨୭ ଜଣଙ୍କ ମତାମତ ସଂଗ୍ରହ କରାଯାଇଥିଲା। ସେମାନଙ୍କୁ ୪ଟି ବୟସ ବର୍ଗରେ ବିଭକ୍ତ କରାଯାଇ ସର୍ଭେ ହୋଇଥିଲା।

ଭାରତରେ ବସବାସ କରୁଥିବା ବଡ଼ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ୬୩ ପ୍ରତିଶତ ଲୋକଙ୍କର ଆର୍ଥିକ ଲକ୍ଷ୍ୟ ସ୍ପଷ୍ଟ ରହିଛି। ସେମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ଲୋକ ନିଟ୍‌ ସଂପତ୍ତି ନେଇ ସଚେତନ ଅଛନ୍ତି। କିନ୍ତୁ ୬୫ ପ୍ରତିଶତ ଲୋକ ସେମାନଙ୍କ ଅବସର ସମୟ ପାଇଁ ପର୍ଯ୍ୟାପ୍ତ ଅର୍ଥ ରଖିନାହାନ୍ତି। ବଜେଟ୍‌ ଏବଂ ଟିକସ ଯୋଜନା ସଂପର୍କରେ ଏହି ସର୍ଭେରୁ ଜଣାଯାଇଛି ଯେ ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଜରୁରୀକାଳନୀ ପାଣ୍ଠି ନାହିଁ। ସେହିଭଳି ୨୭ ପ୍ରତିଶତ ଲୋକ ସେମାନଙ୍କ ଟିକସ ଯୋଜନାକୁ ପ୍ରଭାବୀ ଢଙ୍ଗରେ କରିନାହାନ୍ତି। କିନ୍ତୁ ପୂର୍ବରୁ ଏନଏସ୍‌ଏସ୍‌ ପକ୍ଷରୁ ହୋଇଥିବା ୭୭ତମ ସର୍ବ ଭାରତୀୟ ଋଣ ଏବଂ ନିବେଶ ସର୍ଭେରୁ ଜଣାଯାଇଛି ଯେ ଓଡ଼ିଶାର ଆର୍ଥିକ ସାକ୍ଷରତା ସୂଚୀ ମଧ୍ୟମ ଧରଣର ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି। ଏହି ସ୍କୋର ୦.୩୪ ପ୍ରତିଶତରୁ ୦.୫୩ ପ୍ରତିଶତ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।