ମୁମ୍ବାଇ: ଚଳିତ ବର୍ଷ ଜାନୁଆରି ୨୪ରେ ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍ବର୍ଗ ସେୟାର ମୂଲ୍ୟ ଜାଲିଆତି, ଆକାଉଣ୍ଟ୍ ହେରଫେର ଓ ଜାଲ୍ କଂପାନି ଗଠନ ଭଳି ସଙ୍ଗିନ ଅଭିଯୋଗ ଆଣିବା ପରେ ସେଭଳି ଏକ ସଂସ୍ଥାରେ ବିପୁଳ ଟଙ୍କା ନିବେଶ କରିଥିବାରୁ ସରକାରୀ ଜୀବନ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ହିଣ୍ଡେନ୍ବର୍ଗ ଘଟଣା ପ୍ରଭାବରେ ଆଦାନିର ବିଭିନ୍ନ କଂପାନିରେ ଏଲ୍ଆଇସି କରିଥିବା ନିବେଶ ମୂଲ୍ୟ ହ୍ରାସ ବି ପାଇଥିଲା। କିନ୍ତୁ ଗତ ଦୁଇ ମାସରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟିଯାଇଛି। ଆଦାନି ନିବେଶରୁ ଏଲ୍ଆଇସି ବଡ଼ ଧରଣର ଉପକୃତ ହୋଇଛି। ଦୁଇ ମାସରୁ କମ୍ ସମୟ ଭିତରେ ଆଦାନି କଂପାନିଗୁଡ଼ିକରେ ଏଲ୍ଆଇସିର ନିବେଶ ମୂଲ୍ୟ ୬,୨୦୦ କୋଟି ଟଙ୍କା ବୃଦ୍ଧି ପାଇ ୪୫,୪୮୧ କୋଟି ଟଙ୍କା ହୋଇଛି।
ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ସତ୍ତ୍ବେ ଆଦାନିର ବିଭିନ୍ନ କଂପାନିରେ ଏଲ୍ଆଇସି ଏହାର ନିବେଶ ବଢ଼ାଇଥିଲା। ଏହି ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏଲ୍ଆଇସି ପ୍ରାୟ ୧୫ ହଜାର କୋଟି ଟଙ୍କା ନିବେଶ କରିଥିଲା। ଏବେ ତାହାର ଲାଭ କଂପାନିକୁ ମିଳିଛି। ବିଗତ ଦିନଗୁଡ଼ିକରେ ଆଦାନି ଗ୍ରୁପ୍ର ବିଭିନ୍ନ କଂପାନି ଯଥା ଆଦାନି ଏଣ୍ଟରପ୍ରାଇଜେସ୍, ଆଦାନି ଗ୍ରିନ୍ ଏନର୍ଜି, ଆଦାନି ଟ୍ରାନ୍ସମିସନ ଓ ଆଦାନି ଟୋଟାଲ୍ ଗ୍ୟାସ୍ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିବାରୁ ଏଲ୍ଆଇସି ଲାଭବାନ ହୋଇଛି। ହିଣ୍ଡେନ୍ବର୍ଗ ରିପୋର୍ଟ ପରେ ସେୟାର ମୂଲ୍ୟରେ ଯେଉଁ ହ୍ରାସ ଘଟିଥିଲା ତାହା ପ୍ରାୟ ଭରଣା ହୋଇଛି।