ଭୁବନେଶ୍ବର: ରାଜ୍ୟରେ ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ୬୨.୬ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ନିତି ଆୟୋଗ ପ୍ରକାଶ କରିଥିବା ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ଆଲୋଚ୍ୟ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୨୯.୩୫ ପ୍ରତିଶତରୁ ହ୍ରାସ ପାଇ ୧୫.୬୮ ପ୍ରତିଶତ ହୋଇଛି। ଜାତୀୟ ସ୍ତରରେ ବହୁମୁଖୀ ଦାରିଦ୍ର୍ୟ ହାର ୧୪.୯୬ ପ୍ରତିଶତ ରହିଛି। ରାଜ୍ୟ ଅର୍ଥନୀତିର ପ୍ରଦର୍ଶନ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ସ୍ଥିର ମୂଲ୍ୟ ଅନୁସାରେ ୨୦୧୯-୨୦ରେ ରାଜ୍ୟର ଅଭିବୃଦ୍ଧି ୨.୮ ପ୍ରତିଶତ ଥିଲା। କରୋନା ମହାମାରୀ ବ୍ୟାପିଥିବା ବର୍ଷ ୨୦୨୦-୨୧ରେ ଅଭିବୃଦ୍ଧି ୨.୮ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୧-୨୨ରେ ତାହା ପୁଣି ଥରେ ତ୍ବରାନ୍ବିତ ହୋଇ ୧୦.୬ ପ୍ରତିଶତ ହୋଇଥିଲା। ୨୦୨୨-୨୩ରେ ୭.୯ ପ୍ରତିଶତ ହାରରେ ଦୌଡ଼ିଥିବା ଓଡ଼ିଶାର ଅଭିବୃଦ୍ଧି ୨୦୨୩-୨୪ରେ ୮.୫ ପ୍ରତିଶତ ରହିବ ବୋଲି ଅଗ୍ରିମ ଆକଳନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଖଣିରୁ ୧୬,୬୮୩ କୋଟି ରାଜସ୍ବ ଆଦାୟ, ୨୩ ଖଣି ଦେଇନାହାନ୍ତି ଜରିମାନା

ଭୁବନେଶ୍ବର: ଚଳିତ ବର୍ଷ ଜୁଲାଇ ସୁଦ୍ଧା ରାଜ୍ୟ ସରକାର ୧୬,୬୮୩.୩୪ କୋଟି ଟଙ୍କାର ଖଣି ରାଜସ୍ବ ସଂଗ୍ରହ କରିଛନ୍ତି ବୋଲି ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ ଜଣାଇଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷ ସାରାରେ କେତେ ଟଙ୍କାର ଖଣି ରାଜସ୍ବ ମିଳିବ ତାହା ଆକଳନ କରାଯାଇନାହିଁ। ୨୦୨୩-୨୪ରେ ୪୬,୩୯୬.୫୦ କୋଟି ଟଙ୍କାର ଖଣି ରାଜସ୍ବ ସଂଗ୍ରହ ହୋଇଛି। ଆର୍ଥିକ ବର୍ଷ ଭିତ୍ତିକ ସୂଚନା ଦେଇ ସେ କହିଛନ୍ତି ଯେ ୨୦୧୯-୨୦ରେ ୧୧,୦୩୯.୫୯ କୋଟି ଟଙ୍କା, ୨୦୨୦-୨୧ରେ ୧୩,୯୧୮.୨୦ କୋଟି ଟଙ୍କା, ୨୦୨୧-୨୨ରେ ୪୯,୮୫୯.୧୨ କୋଟି ଟଙ୍କା ଓ ୨୦୨୨-୨୩ରେ ୩୮,୦୭୫.୦୪ କୋଟି ଟଙ୍କାର ଖଣି ରାଜସ୍ବ ସଂଗ୍ରହ ହୋଇଛି। 

ଖଣି ଜରିମାନା ଆଦାୟ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୩ ଖଣି ପଟ୍ଟାଦାର ଜରିମାନା ହୋଇଥିବା ଅର୍ଥକୁ ସମ୍ପୂର୍ଣ୍ଣ ଭରଣା କରିନାହାନ୍ତି। ତାଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ରୁଜୁ କରାଯାଇଛି ଓ ସେଗୁଡ଼ିକ ବିଚାରଧୀନ ରହିଛି। ମନ୍ତ୍ରୀ ଜଣାଇଛନ୍ତି ଯେ ୧୪୪ଟି କମ୍ପାନିକୁ ପରିବେଶ ସୁରକ୍ଷା ନିୟମ ଓ ଜଙ୍ଗଲ ସଂରକ୍ଷଣ ନିୟମ ଅଧୀନରେ ୧୮,୧୬୯ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କୁହାଯାଇଥିଲା। ପରିବେଶ ମଞ୍ଜୁରି ଓ ଜଙ୍ଗଲ ମଞ୍ଜୁରି ଅଧୀନରେ ସୁଧ ସମେତ ୧୬,୧୦୩ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ସେହିପରି, ଖଣି ଯୋଜନା ଓ ପରିଚାଳନା ପାଇଁ ଅନୁମତି ଅଧୀନରେ ୧୮୯୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।