୫ ଗାଡ଼ି କଂପାନି ଭାରତ ଛାଡ଼ିବାରୁ ୬୪ ହଜାର ବେକାର, ଡିଲର୍ସିପ୍ ବନ୍ଦ ପରେ ଜୀବିକା ହରାଇଲେ
୨୪୮୫ କୋଟିର ପୁଞ୍ଜିନିବେଶ ପାଣିରେ ପଡ଼ିଲା
ନୂଆଦିଲ୍ଲୀ: ଗତ ଚାରି ବର୍ଷ ଭିତରେ ପାଞ୍ଚଟି ବହୁଦେଶୀୟ ଗାଡ଼ି କଂପାନି ଭାରତରେ କାରବାର ବନ୍ଦ କରିବା ବିଷୟରେ ଘୋଷଣା କରିଛନ୍ତି। ସେହି ସବୁ କଂପାନିର ଡିଲର୍ସିପ୍ରେ କାର୍ଯ୍ୟ କରୁଥିବା ୬୪ ହଜାର କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଜୀବିକା ହରାଇ ସେମାନେ ବେକାର ହୋଇପଡ଼ିଛନ୍ତି। ଏହା ବ୍ୟତୀତ ଡିଲର୍ସିପ୍ଗୁଡ଼ିକ ୨୪୮୫ କୋଟି ଟଙ୍କା ହରାଇଛନ୍ତି। ଡିଲର୍ସିପ୍ ସ୍ଥାପନ କରିବା ଲାଗି ସେମାନେ ଏହି ପୁଞ୍ଜିନିବେଶ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ରେ ଜେନେରାଲ୍ ମୋଟର୍ସ, ୨୦୧୮ରେ ମ୍ୟାନ୍ ଟ୍ରକ୍ସ, ୨୦୧୯ରେ ୟୁନାଇଟେଡ୍ ମୋଟର୍ସ, ୨୦୨୦ରେ ହାର୍ଲି ଡେଭିଡ୍ସନ୍ ଓ ୨୦୨୧ରେ ଫୋର୍ଡ ଭାରତରେ ଏହାର କାରବାର ବନ୍ଦ କରିବା ବିଷୟରେ ଘୋଷଣା କରିଛନ୍ତି। ଏହି ସବୁ ଗାଡ଼ି କଂପାନି ଭାରତ ଛାଡ଼ିବା ନିଷ୍ପତ୍ତି ନେବା ପରେ ୪୬୪ଟି ଡିଲର୍ସିପ୍ ପ୍ରଭାବିତ ହୋଇଛନ୍ତି ବୋଲି ଭାରତୀୟ ଗାଡ଼ି ଡିଲର ସଂଘଗୁଡ଼ିକର ମହାସଂଘ (ଫାଡା) ପକ୍ଷରୁ କୁହାଯାଇଛି। ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି ଯେ ବହୁଦେଶୀୟ କଂପାନିଗୁଡ଼ିକ ହଠାତ୍ କାରବାର ବନ୍ଦ କରିବା ନିଷ୍ପତ୍ତି ନେଉଥିବାରୁ ଡିଲର୍ସିପ୍ ଓ ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ଯେଉଁ ଗ୍ରାହକମାନେ ଏହି ସବୁ ସଂସ୍ଥାର ଗାଡ଼ି କିଣିଥିଲେ ସେମାନେ ମଧ୍ୟ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କଂପାନିଗୁଡ଼ିକ ସହ ଯେଉଁ ଡିଲର୍ମାନେ ଯୋଡ଼ି ହୋଇଥିଲେ ସେମାନଙ୍କ ଭାବମୂର୍ତ୍ତି ମଧ୍ୟ ଖରାପ ହୋଇଛି। ଗ୍ରାହକମାନେ ସେମାନଙ୍କୁ ବିଶ୍ବାସକୁ ନେଉନାହାନ୍ତି।
ଗାଡ଼ି ଡିଲର୍ସିପ୍ ସ୍ଥାପନ କରି ଉଦ୍ୟୋଗୀ ହେବା ଲାଗି କୋଟି କୋଟି ଟଙ୍କା ବିନିଯୋଗ କରିଥିବା ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସେ କହିଛନ୍ତି। ଫାଡା ପକ୍ଷରୁ କୁହାଯାଇଛି ଯେ ଗାଡ଼ି ଡିଲର୍ସିପ୍ ସ୍ଥାପନ କରିଥିବା ସଂସ୍ଥାର କାରବାର ୫ କୋଟି ଟଙ୍କାରୁ ଅଧିକ ରହୁଛି। ଅଧିକାଂଶ ଡିଲର୍ସିପ୍ ପରିବାର ଦ୍ବାରା ପରିଚାଳିତ ବ୍ୟାବସାୟିକ ସଂସ୍ଥା, ମଧ୍ୟମ ବର୍ଗର ବ୍ୟବସାୟୀ ଓ ପାର୍ଟନର୍ସିପ୍ ସଂସ୍ଥାଗୁଡ଼ିକ ସ୍ଥାପନ କରୁଛନ୍ତି। ସେମାନେ ନିଜର ସମସ୍ତ ସଞ୍ଚିତ ଜମା ପୁଞ୍ଜି ଡିଲର୍ସିପ୍ ସ୍ଥାପନ କରିବାରେ ଲଗାଉଥିବା ବେଳେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ଆଣିଛନ୍ତି। ମାତ୍ର ଡିଲର୍ସିପ୍ଗୁଡ଼ିକ କଂପାନି ସହ ଯେଉଁ ବୁଝାମଣା କରୁଛନ୍ତି ତାହାର ବୈଧତା ମାତ୍ର ଏକ ବର୍ଷ ରହୁଛି। ଏଭଳି ପରିସ୍ଥିତିରେ କୌଣସି ବଡ଼ କଂପାନି କାରବାର ବନ୍ଦ କଲେ ତାହା ପୁଞ୍ଜିନିବେଶ କରିଥିବା ଡିଲର୍ମାନଙ୍କୁ ଗୁରୁତର ଭାବେ ପ୍ରଭାବିତ କରୁଛି। ସେମାନଙ୍କ ସୁରକ୍ଷା ଲାଗି ସ୍ବତନ୍ତ୍ର ଆଇନର ଆବଶ୍ୟକତା ରହିଛି ବୋଲି ଫାଡା ପକ୍ଷରୁ କୁହାଯାଇଛି।