ଭୁବନେଶ୍ବର: ଗୋଟିଏ ମାସରେ ରାଜ୍ୟରେ ୬୫ ହଜାରରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ସାରା ରାଜ୍ୟରେ ୬୫,୪୫୫ଟି ଗାଡ଼ି ବିକ୍ରି ହୋଇଛି ଯାହା ଗତବର୍ଷର ମାର୍ଚ୍ଚ ବିକ୍ରି ତୁଳନାରେ ୧୨.୧୩ ପ୍ରତିଶତ ଅଧିକ। ୨୦୨୩ ଆରମ୍ଭରୁ ଗାଡ଼ି ବିକ୍ରିରେ ଯେଉଁ ଉତ୍ସାହ ସୃଷ୍ଟି ହୋଇଥିଲା ତାହା ମାର୍ଚ୍ଚ ପର୍ଯ୍ୟନ୍ତ ବଜାୟ ରହିଛି। ପ୍ରତି ମାସରେ ଗାଡ଼ି ବିକ୍ରି ସଂଖ୍ୟା ବଢ଼ୁଛି। ଜାନୁଆରିରେ ୫୯,୭୦୯, ଫେବ୍ରୁଆରିରେ ୬୦,୦୫୨ଟି ଗାଡ଼ି ବିକ୍ରି ହେବା ପରେ ମାର୍ଚ୍ଚରେ ବିକ୍ରି ସଂଖ୍ୟା ୬୫ ହଜାରରୁ ଅଧିକ ହୋଇଛି।
ଗାଡ଼ି ଡିଲର ମହାସଂଘ ଏଫ୍ଏଡିଏ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି।
ଦୁଇଚକିଆଠାରୁ ଆରମ୍ଭ କରି ଟ୍ରାକ୍ଟର ପର୍ଯ୍ୟନ୍ତ ସବୁଥିରେ ସକାରାତ୍ମକ ବୃଦ୍ଧି ଘଟିଛି। ତିନି ଚକିଆ ବିକ୍ରିରେ ସର୍ବାଧିକ ୭୩.୩୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଯାତ୍ରୀବାହୀ ଗାଡ଼ି ବିକ୍ରିରେ ବୃଦ୍ଧି ସର୍ବନିମ୍ନ ୫.୬୧ ପ୍ରତିଶତ ରହିଛି। ଏଫ୍ଏଡିଏ ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ଅଗ୍ରୱାଲ୍ କହିଛନ୍ତି ଯେ କ୍ରମାଗତ ଦ୍ବିତୀୟ ତ୍ରୈମାସିକରେ ଦୁଇଚକିଆ ଯାନ ବିକ୍ରି ରାଜ୍ୟରେ ବଢ଼ିଛି। ଏଥିରୁ ଏହା ଜଣାପଡ଼ୁଛି ଯେ ଗ୍ରାମୀଣ ବଜାରରେ ସୁଧାର ହେଉଛି। କୃଷି ଉତ୍ପାଦନ ବଢ଼ିବା, ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ମିଳିବା ଏବଂ ଜଳସେଚନ ସୁବିଧାରେ ଉନ୍ନତି ଆଦି ଯୋଗୁଁ ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ଖର୍ଚ୍ଚ କରିବାକୁ ରହୁଥିବା ରାଶି ବଢ଼ିବ ବୋଲି ଆଶା କରାଯାଉଛି। ତେଣୁ ଏପ୍ରିଲ୍ରୁ ଆରମ୍ଭ ହୋଇଥିବା ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟରସାଇକଲ୍ ଓ ସ୍କୁଟର ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।