୧୯ ବ୍ୟାଙ୍କରୁ ୬୫୨୪ କୋଟି ଠକେଇ; ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ଫାଇନାନ୍ସ କଂପାନି ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ର ସହାୟକ ସଂସ୍ଥା ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଟ୍ରାନ୍ସପୋର୍ଟେସନ୍ ନେଟ୍‌ୱର୍କ ଲିମିଟେଡ୍‌ (ଆଇଟିଏନ୍‌ଏଲ୍‌) ନାମରେ ୧୯ଟି ବ୍ୟାଙ୍କରୁ ୬,୫୨୪ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ ହୋଇଛି। ସିବିଆଇ ପକ୍ଷରୁ କଂପାନି ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ ୟେସ୍ ବ୍ୟାଙ୍କରୁ କଂପାନି ଋଣ ଠକେଇ କରିଛି।

କାନାରା ବ୍ୟାଙ୍କ ଅଭିଯୋଗ ଆଧାରରେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି ଯେ ଆଇଟିଏନ୍‌ଏଲ୍‌ ଦ୍ବାରା ୬୫୨୪ କୋଟି ଟଙ୍କାର ସାଧାରଣ ଲୋକଙ୍କ ପାଣ୍ଠି ଆତ୍ମସାତ କରାଯାଇଛି। ଅଭିଯୁକ୍ତମାନେ ଚତୁର ଅପରାଧୀ। ସେମାନେ ଆଇନରେ ଥିବା ଫାଙ୍କକୁ ଭଲ ଭାବେ ଜାଣନ୍ତି ଓ ଆଇନର ପଞ୍ଝାରୁ ନିଜକୁ କିଭଳି ବଞ୍ଚାଇ ହେବ ତାହା ‌ସେମାନଙ୍କୁ ଭଲ ଭାବେ ଜଣା। ୨୦୧୮ରେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଦେବାଳିଆ ହେବା ସହ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)କୁ ଟଣା ହେବା ସହ ପୁରୁଣା ବୋର୍ଡକୁ ହଟାଇ ନୂଆ ବୋର୍ଡ ନିଯୁକ୍ତ କରାଯାଇଥିଲା। ସେହି ସମୟରେ ଆଇଟିଏନ୍‌ଏଲ୍‌ ଓ ଏହାର ନିର୍ଦେଶକମାନେ କରିଥିବା ହେରଫେର ଧରାପଡ଼ିଥିଲା। ବିଶ୍ବସ୍ତରୀୟ ସଂସ୍ଥା ଗ୍ରାଣ୍ଟ୍‌ ଥର୍ଟନ ପକ୍ଷରୁ ଆଇଏଲ୍‌ ଆଣ୍ଡ୍‌ଏଫ୍ଏସ୍‌ ଓ ତାହା ୩୪୮ଟି ସହାୟକ କଂପାନିର ଅଡିଟ୍ କରାଯାଇଥିଲା।

ସିବିଆଇ ଏଫ୍‌ଆଇଆର୍‌ରୁ ଜଣାପଡ଼ିଛି ଯେ କଂପାନିର ଖର୍ଚ୍ଚ ସଂକ୍ରାନ୍ତରେ ସଠିକ୍ ତଥ୍ୟ ଦିଆଯାଉନଥିଲା ଯାହା ଲାଭକୁ ପ୍ରଭାବିତ କରୁଥିଲା। ଆଇଟିଏଲ୍‌ ତାହାର ଆୟକୁ ବଢ଼ାଇଚଢ଼ାଇ ପ୍ରଦର୍ଶନ କରୁଥିଲା। ଫଳରେ କଂପାନିର ବାସ୍ତବ ଆର୍ଥିକ ଛବି ସାମ୍ନାକୁ ଆସୁନଥିଲା। କଂପାନିର ସଫ୍ଟୱେରରେ କୌଣସି ତଥ୍ୟ ଦାଖଲ ନକରି କଂପାନି ବିପୁଳ ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। ଆଇଟିଏନ୍‌ଏଲ୍‌ ଓ ଗ୍ରୁପ୍‌ର ଅନ୍ୟ କଂପାନି ଭିତରେ ଯେଭଳି ସହଜରେ କାରବାର ହୋଇପାରିବ ସେଥିପାଇଁ କମର୍ସିଆଲ୍ ପେପରର ସହାୟତା ନିଆଯାଇଥିଲା। ବିଭିନ୍ନ କାରବାର ଲାଗି ସବ୍‌-କଣ୍ଟ୍ରାକ୍ଟରମାନଙ୍କଠାରୁ ନକଲି ପ୍ରସ୍ତାବ ମଗାଯାଉଥିଲା। ଟାୟାର‌ ଯୋଗାଣକାରୀ ଭାବେ ପଞ୍ଜୀକୃତ ଏକ ଭେଣ୍ଡରଠାରୁ ୪୫୯ ଟନ୍ ଇସ୍ପାତ କିଣାଯାଇଛି ବୋଲି କଂପାନି ଦର୍ଶାଇଥିଲା। ଅଡିଟ୍ ବେଳେ ସେହି କାରସାଦି ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର