୯ ମାସରେ ଆସିଛି ୬୭ ବିଲିଅନ ଡଲାର ଏଫ୍‌ଡିଆଇ

ନୂଆଦିଲ୍ଲୀ: ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆଗମନ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସ ଅର୍ଥାତ୍ ୨୦୨୦ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଦେଶକୁ ୬୭.୫୪ ବିଲିଅନ ଡଲାରର ଏଫଡିଆଇ ଆସିଛି। ଏହା ପୂର୍ବରୁ କୌଣସି ଆର୍ଥିକ ବର୍ଷର ପ୍ରଥମ ୯ ମାସ ମଧ୍ୟରେ ଏତେ ପରିମାଣର ଏଫ୍‌ଡିଆଇ ଦେଶକୁ ଆସି ନଥିଲା। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଦେଶକୁ ୫୫.୧୪ ବିଲିଅନ ଡଲାର ଏଫ୍‌ଡିଆଇ ଆସିଛି। ତେଣୁ ଏହା ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଭାରତକୁ ଅଧିକ ୨୨ ପ୍ରତିଶତ ଏଫ୍‌ଡିଆଇ ଆସିଛି। ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଦେଶକୁ ଏଫ୍‌ଡିଆଇ ଆଗମନରେ ୩୭ ପ୍ରତିଶତ ବୃଦ୍ଧି ଘଟି ୨୬.୧୬ ବିଲିଅନ ଡଲାରରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଦେଶକୁ ୧୯.୦୯ ବିଲିଅନ ଡଲାର ଏଫଡିଆଇ ଆସିଥିଲା। ଡିସେମ୍ବର ମାସରେ ଏଫଡିଆଇ ଆଗମନରେ ୨୪ ପ୍ରତିଶତ ବୃଦ୍ଧି ଘଟି ୯.୨୨ ବିଲିଅନ ଡଲାର ରହିଛି। ଭାରତର ଅର୍ଥନୈତିକ ‌ବିକାଶରେ ଏଫଡିଆଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିଯୋଗୁ ଉଭୟ ପୁଞ୍ଜି ଓ ବିଦେଶୀ ପ୍ରଯୁକ୍ତି ବିକଶିତ ଦେଶରୁ ଆସିଥାଏ। ଅଧିକ ପରିମାଣର ଏଫ୍‌ଡିଆଇ ଆସିଲେ ସରକାରଙ୍କୁ ବିନା ଋଣରେ ବିକାଶ ପାଇଁ ପାଣ୍ଠି ମିଳିଯାଏ। ଏଥିପାଇଁ ସରକାର ଏଫ୍‌ଡିଆଇକୁ ଆକୃଷ୍ଟ କରିବା ଭଳି ଅନୁକୂଳ ନୀତି ମଧ୍ୟ ପ୍ରସ୍ତୁତ କରିଥାନ୍ତି।

ସମ୍ବନ୍ଧିତ ଖବର