ନୂଆଦିଲ୍ଲୀ: ବିଶ୍ବର ତୃତୀୟ ବୃହତ୍ ପେଟ୍ରୋଲିୟମ ଓ ଏଲ୍‌ପିଜି ବ୍ୟବହାରକାରୀ ଦେଶ ଭାରତରେ ଏବେ ୧୦.୬୦ କୋଟି ପରିବାର ଶସ୍ତା ଏଲ୍‌ପିଜିରେ ରୋଷେଇ କରୁଛନ୍ତି। ଏଥିସହିତ ଦେଶରେ ପ୍ରତିଦିନ ୬.୭ କୋଟି ଲୋକ ପେଟ୍ରୋଲ୍‌ ପମ୍ପଗୁଡ଼ିକୁ ଯାଇ ଗାଡ଼ିରେ ଇନ୍ଧନ ଭରୁଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ରବିବାର ଏହି ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ୍‌ରେ କରିଥିବା ଏକ ପୋଷ୍ଟ୍‌ରେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଭାରତ ବିଶ୍ବର ତୃତୀୟ ବୃହତ୍‌ ତୈଳ ଏବଂ ଏଲ୍‌ପିଜି ବ୍ୟବହାରକାରୀ ରାଷ୍ଟ୍ର ଭାବେ ବିବେଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଗଭୀର ସମୁଦ୍ରରୁ ତୈଳ ଓ ଗ୍ୟାସ ଉତ୍ତୋଳନଠାରୁ ଆରମ୍ଭ କରି ଗ୍ରିନ୍‌ ହାଇଡ୍ରୋଜେନ୍ ଏବଂ ଜୈବ ଇନ୍ଧନ ଆଦି ଉତ୍ପାଦନ ସହ ଦେଶର ଭବିଷ୍ୟତକୁ ନିରାପଦ, ନିରନ୍ତର ଏବଂ ଆତ୍ମନିର୍ଭରଶୀଳ କରିବାରେ ଲାଗିଛି। ଭାରତ ବିଶ୍ବର ଚତୁର୍ଥ ବୃହତ୍ ଏଲ୍‌ଏନ୍‌ଜି (ତରଳୀକୃତ ପ୍ରାକୃତିକ ଗ୍ୟାସ) ଆମଦାନିକାରୀ ଏବଂ ବିଶୋଧନ କେନ୍ଦ୍ରରେ ପରିଣତ ହୋଇଛି। ଭାରତ ପ୍ରତିଦିନ ୫.୫ ନିୟୁତ ବ୍ୟାରେଲ ତୈଳ ବ୍ୟବହାର କରୁଛି। ଶକ୍ତି ଇନ୍ଧନଠାରୁ ଅନେକ କିଛି ବୋଲି ସେ କହିଛନ୍ତି। ଶକ୍ତି ନୂଆ ଭାରତର ହୃତ୍‌ସ୍ପନ୍ଦନ। ଏହା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଚଳାଉଛି, ଲୋକଙ୍କୁ ଯୋଡ଼ୁଛି। 

Advertisment

ବିଶ୍ବରେ ଅନିଶ୍ଚିତତା ସତ୍ତ୍ବେ ଭାରତର ଶକ୍ତି କ୍ଷେତ୍ର ଆଗକୁ ବଢ଼ୁଛି। ତୈଳ ଏବଂ ଗ୍ୟାସ୍‌ ‌କ୍ଷେତ୍ରରେ ସଂସ୍କାର ଏହାକୁ ଆଗକୁ ନେଉଛି। ଦେଶର ତୈଳ ବିଶୋଧନ କ୍ଷମତା ବାର୍ଷିକ ୨୧୫ ନିୟୁତ ଟନ୍‌ରୁ ୨୫୮ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ଜାମନଗର ବିଶୋଧନାଗାର ଏସିଆର ସର୍ବବୃହତ୍‌। ଏଠାରୁ ୧୦୦ରୁ ଅଧିକ ଦେଶକୁ ପେଟ୍ରୋଲିୟମ ସାମଗ୍ରୀ ରପ୍ତାନି କରାଯାଉଛି। ଦେଶରେ ତୈଳ ଉତ୍ତୋଳନ ବୃଦ୍ଧି ପାଇଁ ଅପ୍‌ଷ୍ଟ୍ରିମ୍‌ କ୍ଷେତ୍ରରେ ୧.୩ ବିଲିଅନ ଡଲାରରୁ ଅଧିକ ନିବେଶ କରାଯାଇଛି। ଏହାଦ୍ବାରା ଦେଶରେ ତେଲ ଉତ୍ପାଦନ ବଢ଼ିବ। ୨୦୨୨ରେ ଭାରତ ପ୍ରାୟ ୧୦ ଲକ୍ଷ ବର୍ଗ କିଲୋମିଟର ନୋ-ଗୋ( ଯେଉଁଠିକି ଯିବାକୁ ମନା) କ୍ଷେତ୍ରକୁ ତୈଳ ଉତ୍ତୋଳନ ପାଇଁ ଉନ୍ମୁକ୍ତ କରି ଦେଇଛି। ଏଥିଯୋଗୁ ତୈଳ ଉତ୍ତୋଳନର ନୂଆ ସୁଯୋଗ ସୃଷ୍ଟି ହୋଇଛି।