ସୁଲଭ ମୋବାଇଲ ଡାଟାର ଶକ୍ତି, ଭିଡିଓ ଦେଖିବାରେ ବିତୁଛି ଦିନକୁ ୬୭ ମିନିଟ୍

ନୂଆଦିଲ୍ଲୀ: ଭାରତରେ ମୋବାଇଲ୍‌ ଡାଟା ସୁଲଭ ଦରରେ ଉପଲବ୍ଧ ହେବା ପରେ ଅନେକ କିଛି ବଦଳିଯାଇଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଆସିବା ପୂର୍ବରୁ ୨୦୧୬ରେ ଏକ ଜିବି ଡାଟାର ହାରାହାରି ଦାମ୍ ଥିଲା ୨୫୦ ଟଙ୍କା। ସେତେବେଳେ ମାସକୁ ୨୦ କୋଟି ଜିବି ଡାଟା ବ୍ୟବହାର ହେଉଥିଲା। ଜିଓ ଆସିବା ପରେ ୨୦୧୮ ସୁଦ୍ଧା ଏକ ଜିବି ଡାଟାର ଦାମ୍ ୧୫ ଟଙ୍କା ଭଳି ସ୍ତରକୁ ଖସିଗଲା ଓ ମାସିକ ଡାଟା ବ୍ୟବହାର ୩୭୦ କୋଟି ଜିବିକୁ ବୃଦ୍ଧି ପାଇଥିଲା। ମୋବାଇଲ୍ ଡାଟା ମୂଲ୍ୟ ବହୁତ କମିଯିବା ପରେ ଦେଶରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଲୋକମାନେ ମୋବାଇଲ୍‌ରେ ଅଧିକରୁ ଅଧିକ ଭିଡିଓ ଦେଖୁଥିବା ଜଣାପଡ଼ିଛି। ୨୦୧୨ରେ ଭାରତୀୟମାନେ ମୋବାଇଲ୍‌ରେ ଭିଡିଓ ଦେଖିବାରେ ଦିନକୁ ହାରାହାରି ୨ ମିନିଟ୍ ବିତାଉଥିଲେ। ୨୦୧୮ ବେଳକୁ ସେଥିରେ ବଡ଼ ଧରଣର ପରିବର୍ତ୍ତନ ହୋଇସାରିଥିଲା। ଲୋକମାନେ ମୋବାଇଲ୍‌ରେ ଭିଡିଓ ଦେଖିବାରେ ୫୨ ମିନିଟ୍‌ ବିତାଉଥିଲେ। ୨୦୧୯ରେ ଏଥିରେ ଆହୁରି ଉନ୍ନତି ଦେଖାଦେଇଛି। ଭାରତୀୟମାନେ ଦିନକୁ ହାରାହାରି ୬୭ ମିନିଟ୍‌ ଭିଡିଓ ଦେଖିବାରେ ବିତାଉଥିବା ଜଣାପଡ଼ିଛି। ଭିଡିଓ ଦେଖିବା କ୍ଷେତ୍ରରେ ଭାରତ ଏବେ ବିଶ୍ବର ହାରାହାରି ସ୍ତର ନିକଟତର ହୋଇଛି। ବିଶ୍ବର ଦୈନିକ ହାରାହାରି ଭିଡିଓ ଦେଖିବା ସମୟ ହେଉଛି ୬୭ ମିନିଟ୍।

ସୁଲଭ ଦରରେ ଡାଟା ମିଳୁଥିବାରୁ ଭାରତରେ ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନ କରୁଥିବା ଆପ୍‌ର ଚାହିଦା ବହୁତ ବଢ଼ିଯାଇଛି। ଭିଡିଓ ଷ୍ଟ୍ରିମିଂ କ୍ଷେତ୍ରରେ ଗୁଗୁଲ୍‌ର ସଂସ୍ଥା ୟୁଟ୍ୟୁବ୍ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ହଟ୍‌ଷ୍ଟାର୍‌, ଜିଓ ଟିଭି ଓ ଆମାଜନ୍ ପ୍ରାଇମ୍ ଭିଡିଓ ରହିଛି। ୟୁଟ୍ୟୁବ୍‌ର ଭାରତରେ ୨୬.୫‌ କୋଟି ବ୍ୟବହାରକାରୀ ଥିବା ବେଳେ ଫେସବୁକ୍‌ର ୩୦ କୋଟି ଓ ଟିକ୍‌ଟକ୍‌ର ୧୨ କୋଟି ବ୍ୟବହାରକାରୀ ରହିଛନ୍ତି। ଏହି ତିନି ସଂସ୍ଥାର ବ୍ୟବହାରକାରୀମାନେ ଏବେ ଭିଡିଓ ଦେଖିବାରେ ଅଧିକ ସମୟ ବିତାଉଛନ୍ତି। ଡାଟା ଦାମ୍ କରିବା ପରେ ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ୨୦୧୫ରେ ଦେଶର ମୋଟ ଇଣ୍ଟରନେଟ୍ ବ୍ୟବହାରକାରୀ ସଂଖ୍ୟା ୨୬ କୋଟି ପାଖାପାଖି ଥିଲା। ୨୦୧୮ ସୁଦ୍ଧା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୬ କୋଟି ୬୦ ଲକ୍ଷରେ ପହଞ୍ଚିଛି। ୨୦୧୯ ଶେଷ ସୁଦ୍ଧା ସେମାନଙ୍କ ସଂଖ୍ୟା ୬୨ କୋଟି ୭୦ ଲକ୍ଷରୁ ଅଧିକ ହୋଇଯିବ ବୋଲି ଆକଳନ କରାଯାଇଛି।ଡାଟା ବ୍ୟବହାରରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହିଥିବା ପ୍ରଭେଦ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ୨୦୧୭ରେ ମୋଟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ସହରାଞ୍ଚଳ‌ରେ ପାଖାପାଖି ୨୯ କୋଟି ଓ ଗ୍ରାମାଞ୍ଚଳରେ ୧୮ କୋଟି ଲୋକ ଥିଲେ। ୨୦୧୯ରେ ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯାଇଛି। ମୋଟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ସହରାଞ୍ଚଳରେ ୩୩ କୋଟି ଲୋକ ଥିବା ବେଳେ ଗ୍ରାମାଞ୍ଚଳରେ ୨୯ କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଜଣାପଡ଼ିଛି। ଦେଶର ମୋଟ୍‌ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୯୭% ମୋବାଇଲ୍‌ ଜରିଆରେ ଇଣ୍ଟରନେଟ୍‌ ହାସଲ କରୁଛନ୍ତି। ଭିଡୋଲି ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଭାରତୀୟମାନେ ଦୈନିକ ହାରାହାରି ୨ ଘଣ୍ଟା ୩୦ ମିନିଟ୍ ସୋସିଆଲ୍ ମିଡିଆରେ ବିତାଉଛନ୍ତି। ସେହି ସମୟରେ ୟୁଟ୍ୟୁବ୍‌ରେ ଭାରତୀୟମାନେ ଦିନକୁ ହାରାହାରି ୧ ଘଣ୍ଟା ୧୧ ମିନିଟ୍‌ ବିତାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର