୬୭% ଏମ୍ଏସ୍‌ଏମ୍ଇରେ ତାଲା ପଡ଼ିଥିଲା

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ବ୍ୟାପିବାର ତିନି ମାସରେ ଦେଶର ୬୭ ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)ରେ ତାଲା ପଡ଼ିଥିଲା। ସିଡ୍‌ବି ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଏହି ସର୍ଭେ କରିବା ଲାଗି ସିଡ୍‌ବିକୁ ଏମ୍ଏସ୍‌ଏମ୍ଇ ମନ୍ତ୍ରଣାଳୟ ଦାୟିତ୍ବ ଦେଇଥିଲା। ସିଡ୍‌ବି ପକ୍ଷରୁ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨୯ଟି ସଂସ୍ଥାକୁ ନେଇ ସର୍ଭେ କରାଯାଇଥିଲା ଓ ସେହି ରିପୋର୍ଟକୁ ୨୦୨୨ ଜାନୁଆରି ୨୭ରେ ଦାଖଲ କରାଯାଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ୫୦% ଏମ୍ଏସ୍‌ଏମ୍ଇ କହିଥିଲେ ଯେ ସେମାନଙ୍କ ରାଜସ୍ବ ୨୦୨୦-୨୧ ଆର୍ଥିକ ବର୍ଷରେ ୨୫%ରୁ ଅଧିକ ହ୍ରାସ ପାଇଛି। ୬୬% ସଂସ୍ଥାର ଲାଭ ଓ ରାଜସ୍ବ ହ୍ରାସ ପାଇଥିଲା। ସରକାର ଘୋଷଣା କରିଥିବା ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍‌ର ଲାଭ ୬୫% ଏମ୍ଏସ୍‌ଏମ୍ଇ ହାସଲ କରିଥିଲେ। ତେବେ ମହାମାରୀ ପ୍ରଭାବରେ ଏମ୍ଏସ୍‌ଏମ୍ଇ କ୍ଷେତ୍ରରେ କେତେ ଲୋକ ଜୀବିକା ହରାଇଛନ୍ତି ତାହାର ତଥ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ। ଯେହେତୁ ଏମ୍ଏସ୍‌ଏମ୍ଇଗୁଡ଼ିକ ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ରହିଛି ସେଥିପାଇଁ ଏହି ତଥ୍ୟ ସଂଗ୍ରହ କରାଯାଇପାରୁନଥିବା ସରକାର କହିଛନ୍ତି

ସମ୍ବନ୍ଧିତ ଖବର