ଭୁବନେଶ୍ବର: ରାଜ୍ୟର ଗାଡ଼ି ଡିଲର୍ସିପ୍ଗୁଡ଼ିକ ଲାଗି ଜୁଲାଇ ଏକ ଭଲ ମାସ ସାବ୍ୟସ୍ତ ହୋଇଛି। ଏହି ମାସରେ ରାଜ୍ୟରେ ୬୧,୭୮୫ ଗାଡ଼ି ବିକ୍ରି ହୋଇଛି ଯାହା ପୂର୍ବବର୍ଷ ଜୁଲାଇରେ ହୋଇଥିବା ବିକ୍ରି ତୁଳନାରେ ୨୧.୮୫ ପ୍ରତିଶତ ଅଧିକ। ୨୦୨୩ ଜୁଲାଇରେ ୫୦,୭୦୭ ଗାଡ଼ି ବିକ୍ରି ହୋଇଥିଲା ବୋଲି ଗାଡ଼ି ଡିଲର୍ମାନଙ୍କ ସର୍ବଭାରତୀୟ ସଂଘ ଏଫ୍ଏଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ସାହର ବିଷୟ ହେଉଛି ଚଳିତ ବର୍ଷ ଜୁଲାଇରେ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଛି। ଦୁଇଚକିଆ ବିକ୍ରି ୨୨.୩୪ ପ୍ରତିଶତ, ତିନିଚକିଆ ୩୦.୬୧ ପ୍ରତିଶତ, କମର୍ସିଆଲ୍ ଗାଡ଼ି ୧୧.୩୧ ପ୍ରତିଶତ, କାର୍ ୧୬.୩୫ ପ୍ରତିଶତ ଓ ଟ୍ରାକ୍ଟର ବିକ୍ରି ୩୪.୮୧ ପ୍ରତିଶତ ବଢ଼ିଛି।
ଏହି ଅବସରରେ ଏଫ୍ଏଡିଏ ଓଡ଼ିଶାର ଅଧ୍ୟକ୍ଷ ପ୍ରଦୀପ ଅଗ୍ରୱାଲ୍ କହିଛନ୍ତି ଯେ ପ୍ରବଳ ଗରମ ଓ ମୌସୁମୀ ଆଗମନ ବିଳମ୍ବ ହେବା କାରଣରୁ ଗ୍ରାମାଞ୍ଚଳରେ ଗାଡ଼ି ବିକ୍ରି ପ୍ରଭାବିତ ହୋଇଥିଲା। ଏହାସତ୍ତ୍ବେ ଗାଡ଼ି ବଜାରରେ ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଦୁଇଚକିଆ ଓ ତିନିଚକିଆ ଗାଡ଼ିର ଚାହିଦା ଅଧିକ ରହିଥିଲା ଯାହା ଏହି ଅଞ୍ଚଳର ବଜାରରେ ଥିବା ସମ୍ଭାବନାକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ଏଫ୍ଏଡିଏ ତଥ୍ୟ ଅନୁଯାୟୀ ଜୁଲାଇ ମାସରେ ସର୍ବଭାରତୀୟ ସ୍ତରରେ ୨୦ ଲକ୍ଷ ୩୪ ହଜାର ୧୧୬ ଗାଡ଼ି ବିକ୍ରି ହୋଇଛି ଯାହା ଗତବର୍ଷ ଜୁଲାଇର ବିକ୍ରିଠାରୁ ୧୩.୮୪ ପ୍ରତିଶତ ଅଧିକ। ଏହି ମାସରେ ଦେଶରେ ୧୪,୪୩,୪୬୩ ଦୁଇଚକିଆ, ୧,୧୦,୪୯୭ ତିନିଚକିଆ, ୮୦,୦୫୭ କମର୍ସିଆଲ୍ ଗାଡ଼ି, ୩,୨୦,୧୨୯ କାର୍ ଓ ୭୯,୯୭୦ ଟ୍ରାକ୍ଟର ବିକ୍ରି ହୋଇଛି। ଦେଶରେ କେବଳ ଟ୍ରାକ୍ଟର ବିକ୍ରିରେ ୧୧.୯୫ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। କମର୍ସିଆଲ୍ ଗାଡ଼ି ବିକ୍ରି ସାମାନ୍ୟ ମାନ୍ଦା ରହିଥିଲା।