୬୭ ଲକ୍ଷ ଏଲ୍‌ପିଜି ଗ୍ରାହକଙ୍କ ଆଧାର ତଥ୍ୟ ଲିକ୍!

କଂପାନିର ଖଣ୍ଡନ

ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ଏଲପିଜି ଯୋଗାଣକାରୀ କମ୍ପାନିର ପ୍ରାୟ ୬୭ ଲକ୍ଷ ୯୧ ହଜାର ଗ୍ରାହକଙ୍କ ଆଧାର ତଥ୍ୟ ଲିକ୍ ହୋଇଛି। କମ୍ପାନିର ୱେବସାଇଟ୍ ଓ ଆପ୍‌ ଜରିଆରେ ଗ୍ରାହକଙ୍କ ଆଧାର ତଥ୍ୟ ଲିକ୍ ହୋଇଛି ବୋଲି ଫ୍ରାନ୍ସର ଜଣେ ସାଇବର ବିଶେଷଜ୍ଞ ଦାବି କରିଛନ୍ତି। ସାଇବର ବିଶେଷଜ୍ଞଙ୍କ ନାମ ବାପ୍ଟିଷ୍ଟ ରବର୍ଟ ହୋଇଥିବାବେଳେ ଟ୍ବିଟର ହ୍ୟାଣ୍ଡେଲରେ ‌ସେ ଇଲିଅଟ ଆଲଡରସନ ନାମରେ ଏହି ଦାବି କରିଛନ୍ତି। ସୋମବାର ଆଲଡରସନ୍ ଏକ ବ୍ଲଗପୋଷ୍ଟରେ ଦାବି କରିଛନ୍ତି, ଇଣ୍ଡେନର ଡିଲର ଓ ଡିଷ୍ଟ୍ରିବ୍ୟୁଟରଙ୍କ ପାଇଁ ଉଦ୍ଦିଷ୍ଟ ୱେବସାଇଟର ଅଂଶରେ ପ୍ରବେଶ କରି ସେ ଏହି ତଥ୍ୟ ହାସଲ କରିପାରିଛନ୍ତି। ଯେଉଁ ତଥ୍ୟ କେବଳ ଉପଯୁକ୍ତ ୟୁଜରନେମ୍ ଓ ପାସୱାର୍ଡ ମାଧ୍ୟମରେ ମିଳିଥାନ୍ତା ତାହାକୁ ସେ ହାତେଇ ପାରିଛନ୍ତି। ପାଖାପାଖି ୧୧ ହଜାର ଡିଲର ଓ ଡିଷ୍ଟ୍ରିବ୍ୟୁଟରଙ୍କ ନିକଟରେ ରହିଥିବା ଏଲପିଜି ଗ୍ରାହକଙ୍କ ନାମ, ଠିକଣା ଓ ଅନ୍ୟାନ୍ୟ ସୂଚନା ମିଳିଯିବା ନେଇ ସେ ଦାବି କରିଛନ୍ତି। ପୋର୍ଟାଲରେ ଅଥେଣ୍ଟିକେସନ (ପ୍ରମାଣନ)ର ଅଭାବ ଯୋଗୁ ଏଭଳି ତଥ୍ୟ ମିଳିଯାଉଥିବା ସେ ଦାବି କରିଛନ୍ତି। କଷ୍ଟମ ବିଲଟ ସ୍କ୍ରିପ୍ଟ ଜରିଆରେ ଆଲଡରସନ୍ ପ୍ରାୟ ଗ୍ରାହକଙ୍କ ତଥ୍ୟ ହାସଲ କରି ନେଇଛନ୍ତି। ଏହି ସ୍କ୍ରିପ୍ଟକୁ ଚଳାଇବା ପରେ ସେ ୧୧୦୬୨ ଜଣ ଡିଲରଙ୍କ ତଥ୍ୟ ହାସଲ କରି ନେଇଥିଲେ। ତାଙ୍କ ସ୍କ୍ରିପ୍ଟ ୯୪୯୦ ଜଣ ଡିଲରଙ୍କର ତଥ୍ୟକୁ ପରୀକ୍ଷା କରିଥିଲା। ସେଥିରୁ ସେ ଜାଣିବାକୁ ପାଇଛନ୍ତି ଯେ, ଏହି ତଥ୍ୟ ଲିକ୍ ଦ୍ବାରା ୫୮ ଲକ୍ଷ ୨୬ ହଜାର ୧୧୬ ଜଣ ଗ୍ରାହକ ପ୍ରଭାବିତ ହୋଇଛନ୍ତି। ଗ୍ରାହକଙ୍କ ଆଧାର ତଥ୍ୟ ଲିକକୁ ଇଣ୍ଡେନ୍ ଗ୍ୟାସ ଯୋଗାଣକାରୀ କମ୍ପାନି ଭାରତୀୟ ତୈଳ ନିଗମ ପକ୍ଷରୁ ଖଣ୍ଡନ କରାଯାଇଛି। କମ୍ପାନି କହିଛି ଏହାର ସଫ୍ଟଓୟାରରେ କେବଳ ଆଧାର ନମ୍ବର ରଖାଯାଇଥାଏ। ଏଲପିଜି ବାବଦ ସବସିଡି ବ୍ୟାଙ୍କକୁ ସ୍ଥାନାନ୍ତର କରିବା ଲାଗି ଏହା ରହିଥାଏ। ଏହା ବାଦ୍ କମ୍ପାନି ଗ୍ରାହକଙ୍କର ଆଧାର ସମ୍ପର୍କିତ ଅନ୍ୟ କୌଣସି ତଥ୍ୟ ଏହାର ସଫ୍ଟଓୟାରରେ ରଖି ନଥାଏ। ତେଣୁ ଆମ ଦ୍ବାରା ଆଧାର ତଥ୍ୟ ଲିକ୍ ହେବାର ସମ୍ଭାବନା ନାହିଁ ବୋଲି କମ୍ପାନି କହିଛି।

ସମ୍ବନ୍ଧିତ ଖବର