ଭୁବନେଶ୍ବର: ଚଳିତ ବର୍ଷ ମେ’ ମାସରେ ରାଜ୍ୟରେ ୬୮,୪୩୫ଟି ଗାଡ଼ି ବିକ୍ରି ହୋଇଛି। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (ଏଫ୍ଏଡିଏ) ଜାରି କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ସବୁଠୁ ଖୁସିର ବିଷୟ ହେଉଛି ଚାଷ ଋତୁ ଚାଲିଥିବା ବେଳେ ଟ୍ରାକ୍ଟର ବିକ୍ରିରେ ୨୧.୨୩ ପ୍ରତିଶତ ବୃଦ୍ଧି ହୋଇଛି। ଗତ ମେ’ରେ ରାଜ୍ୟରେ ୫୫,୨୫୯ଟି ଦୁଇଚକିଆ, ୧୯୮୫ଟି ତିନିଚକିଆ ଓ ୨୦୬୪ଟି କାର୍ ବିକ୍ରି ହୋଇଛି।
ଏହି ତିନି ପ୍ରକାର ଗାଡ଼ି ବିକ୍ରି ବଢ଼ିଥିବା ବେଳେ କାର୍, ବାଣିଜ୍ୟିକ ଯାନ ଓ ହଦନଶୀଳ ଇଞ୍ଜିନ ଥିବା ଯାନର ବିକ୍ରି ହ୍ରାସ ପାଇଛି। କାର୍ ବିକ୍ରି ୨.୧୪ ପ୍ରତିଶତ ହ୍ରାସ ପାଇଛି। ୨୦୨୪ ମେ’ରେ ୬୫,୭୮୭ଟି ଗାଡ଼ି ରାଜ୍ୟରେ ବିକ୍ରି ହୋଇଥିଲା। ସେହି ତୁଳନାରେ ଚଳିତ ବର୍ଷ ମେ’ରେ ବିକ୍ରି ୪.୦୩ ପ୍ରତିଶତ ବଢ଼ିଛି। ଜାତୀୟ ସ୍ତରର ପ୍ରତିଫଳନ ଓଡ଼ିଶାରେ ଦେଖିବାକୁ ମିଳିଛି। ଯେଉଁ ଗାଡ଼ିଗୁଡ଼ିକର ବିକ୍ରି ଜାତୀୟ ସ୍ତରରେ କମିଥିଲା, ସେଗୁଡ଼ିକ ଓଡ଼ିଶାରେ ବି କମ୍ ବିକ୍ରି ହୋଇଛି। ସର୍ବଭାରତୀୟ ସ୍ତରରେ ମେ’ ମାସରେ ୨୨ ଲକ୍ଷ ୧୨ ହଜାର ୮୦୯ଟି ଗାଡ଼ି ବିକ୍ରି ହୋଇଥିଲା। ଯାହା ପୂର୍ବବର୍ଷର ବିକ୍ରି ତୁଳନାରେ ୫.୧୧ ପ୍ରତିଶତ ଅଧିକ। ଏହି ମାସରେ ଦେଶରେ ୧୬,୫୨,୬୩୭ ଦୁଇଚକିଆ, ୧,୦୪,୪୪୮ଟି ତିନିଚକିଆ, ୭୫,୬୧୫ କମର୍ସିଆଲ୍ ଗାଡ଼ି, ୩,୦୨,୨୧୪ଟି କାର୍ ଓ ୭୧,୯୯୨ଟି ଟ୍ରାକ୍ଟର ବିକ୍ରି ହୋଇଥିଲା।