ଭୁବନେଶ୍ବର : ଗତ ଅଗଷ୍ଟରେ ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି) ଭାବେ ୬୮୬.୧୫ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟ ତୁଳନାରେ ଏହା ୧.୭୬ ପ୍ରତିଶତ (୧୨ କୋଟି ଟଙ୍କା) କମ୍। ଚଳିତ ବର୍ଷ ଜୁନ୍ ଓ ଜୁଲାଇ ତୁଳନାରେ ମଧ୍ୟ ଅଗଷ୍ଟରେ କମ୍ ରାଜ୍ୟ ଜିଏସ୍ଟି ଆଦାୟ କରାଯାଇଛି। ଜୁନ୍ ଓ ଜୁଲାଇରେ ଆଦାୟ ରାଶି ପରିମାଣ ଯଥାକ୍ରମେ ୭୫୯.୧୭ କୋଟି ଟଙ୍କା ଓ ୭୯୪.୦୨ କୋଟି ଟଙ୍କା ଥିଲା। ରିଟର୍ଣ୍ଣ ଫାଇଲିଂ ଲାଗି ଟିକସଦାତାମାନଙ୍କୁ ଅଧିକ ସମୟ ଦିଆଯାଇଥିବାରୁ ଉଭୟ ଜୁଲାଇ ଓ ଅଗଷ୍ଟ ମାସରେ ଆଦାୟ ସାମାନ୍ୟ ହ୍ରାସ ପାଇଛି। ଅଗଷ୍ଟ ମାସରେ ରାଜ୍ୟ ଜିଏସ୍ଟି (୬୮୬.୧୫ କୋଟି ଟଙ୍କା), କେନ୍ଦ୍ରୀୟ ଜିଏସ୍ଟି (୫୩୮.୯୧ କୋଟି ଟଙ୍କା), ସମନ୍ବିତ ଜିଏସ୍ଟି (୬୩୦.୧୪ କୋଟି ଟଙ୍କା) ଓ ସେସ୍ (୪୯୩.୦୮ କୋଟି ଟଙ୍କା) ଭାବେ ମୋଟ୍ ୨୩୪୮.୨୮ କୋଟି ଟଙ୍କା ଆଦାୟ ହୋଇଛି। ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି କମିସନର ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଅଗଷ୍ଟରେ କେନ୍ଦ୍ରୀୟ ଜିଏସ୍ଟି (ସିଜିଏସ୍ଟି) ଓ ସେସ୍ ଆଦାୟରେ ଯଥାକ୍ରମେ ୦.୭ ପ୍ରତିଶତ ଓ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ସିଜିଏସ୍ଟି ବାବଦରେ ୫୩୮.୯୧ କୋଟି ଟଙ୍କା ଓ ୪୯୩.୦୮ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟରେ ୫୩୪.୬୮ କୋଟି ଟଙ୍କାର ସିଜିଏସ୍ଟି ଓ ୪୪୮.୯୧ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି। ଅଗଷ୍ଟରେ ୬୩୦.୧୪ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଆଦାୟ ହୋଇଛି ଯାହା ଗତବର୍ଷ ୮୧୫.୧୭ କୋଟି ଟଙ୍କା ତୁଳନାରେ ୨୨.୭୦ ପ୍ରତିଶତ କମ୍।
Sambad is now on WhatsApp
Join and get latest news updates delivered to you via WhatsApp
ପେଟ୍ରୋଲିୟମ୍ ସାମଗ୍ରୀ ଉପରେ ଲଗାଯାଇଥିବା ଭାଟ୍ ଆକାରରେ ଜୁଲାଇ ଓ ଅଗଷ୍ଟରେ ରାଜ୍ୟରେ ଯଥାକ୍ରମେ ୫୨୧.୪୭ କୋଟି ଟଙ୍କା ଓ ୫୬୮.୭୮ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁଲାଇରେ ୫୦୯.୦୩ କୋଟି ଟଙ୍କା ଓ ଅଗଷ୍ଟରେ ୪୯୧.୦୨ କୋଟି ଟଙ୍କା ଆଦାୟ ହୋଇଛି। ଉଭୟ ମାସରେ ଗତବର୍ଷ ତୁଳନାରେ ଅଧିକ ଭାଟ୍ ଆଦାୟ ହୋଇଛି। ଉଭୟ ରାଜ୍ୟ ଭିତର ଓ ବାହାର ପାଇଁ ଜାରି କରାଯାଇଥିବା ୱେବିଲ୍ ସଂଖ୍ୟା ମଧ୍ୟ ଯଥାକ୍ରମେ ୧୯,୬୫୮ ଓ ୧୫,୩୨୦କୁ ବୃଦ୍ଧି ପାଇଛି। ଗତ ଏପ୍ରିଲ୍ରୁ ଅଗଷ୍ଟ ଭିତରେ ୧୨ଳ୨୭୬ ନୂଆ ଟିକସଦାତା ପଞ୍ଜୀକୃତ ହୋଇଛନ୍ତି। ଯେଉଁ ସବୁ ସ୍ଥାନରେ ଟିକସ ଲିକ୍ ହେଉଛି ତାହାକୁ ରୋକିବା ଲାଗି ରାଜ୍ୟ ବାଣିଜ୍ୟ କର ଓ ଜିଏସ୍ଟି କମିସନର ଏସ୍ କେ ଲୋହାନି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଟିକସଦାତାଙ୍କ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କହିଛନ୍ତି।