୬୯% ପରିବାରକୁ ଆର୍ଥିକ ସୁରକ୍ଷା ଚିନ୍ତା, ୭୦% ପରିବାର ସଞ୍ଚୟ କରୁଛନ୍ତି

ନୂଆଦିଲ୍ଲୀ: ଦେଶରେ ୬୯ ପ୍ରତିଶତ ପରିବାର ଆର୍ଥିକ ସୁରକ୍ଷାକୁ ‌ନେଇ ଚିନ୍ତିତ ଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ‘ମନି୯’ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ଭାରତର ୪ ଜଣିଆ ସଦସ୍ୟ ବିଶିଷ୍ଟ ପରିବାରର ହାରାହାରି ମାସିକ ଆୟ ହେଉଛି ୨୩ ହଜାର ଟଙ୍କା। କିନ୍ତୁ, ୪୬ ପ୍ରତିଶତରୁ ଅଧିକ ପରିବାରର ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ରହିଛି। ସେମାନଙ୍କୁ ନିମ୍ନ-ଆୟକାରୀ ବର୍ଗରେ ସାମିଲ କରାଯାଇଛି। ଏହି ଶ୍ରେଣୀର ଲୋକମାନେ ନିଜ ଆର୍ଥିକ ସୁରକ୍ଷାକୁ ନେଇ ସର୍ବାଧିକ ଚିନ୍ତିତ ରହିଛନ୍ତି। ଦେଶର ମାତ୍ର ୩ ପ୍ରତିଶତ ପରିବାର ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କୁ ଉଚ୍ଚ-ମଧ୍ୟମ ଆୟ ବର୍ଗରେ ରଖାଯାଇଛି। ପ୍ରାୟ ୭୦ ପ୍ରତିଶତ ଭାରତୀୟ ପରିବାର ସଞ୍ଚୟ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ବ୍ୟାଙ୍କ ଜମା, ବୀମା, ଡାକ ଘର ସଞ୍ଚୟ ଏବଂ ସୁନା ଆଦିରେ ସେମାନେ ସଞ୍ଚୟ କରୁଛନ୍ତି। ଲୋକମାନେ ବ୍ୟାଙ୍କରେ ସର୍ବାଧିକ ସଞ୍ଚୟ ରାଶି ରଖୁଥିବା ବେଳେ ତା’ ପଛକୁ ରହିଛି ଡାକ ଘର ସଞ୍ଚୟ, ଜୀବନ ବୀମା ଏବଂ ସୁନା। ୬୪ ପ୍ରତିଶତ ସଞ୍ଚୟ ରାଶିକୁ ଲୋକମାନେ ବ୍ୟାଙ୍କରେ ରଖିଛନ୍ତି।

ମାତ୍ର ୧୯ ପରିବାର ବୀମା ସୁରକ୍ଷା ଗ୍ରହଣ କରିଛନ୍ତି। ଅଭିଳାଷୀ ଶ୍ରେଣୀରେ ଥିବା ଭାରତୀୟ ପରିବାରଗୁଡ଼ିକ ସଞ୍ଚୟ ପ୍ରତି ଧ୍ୟାନ ଦେଉନାହାନ୍ତି। ଏହି ବର୍ଗରେ ଦେଶର ଏକ ପଞ୍ଚମାଂଶ ପରିବାର ରହିଛନ୍ତି ଯେଉଁମାନଙ୍କ ପାଖରେ ବିଶେଷ ଆର୍ଥିକ ସଞ୍ଚୟ ନାହିଁ। ୨୨ ପ୍ରତିଶତ ପରିବାର ସେୟାର, ମ୍ୟୁଚୁଆଲ୍ ଫଣ୍ଡ୍, ୟୁଲିପ୍ ଏବଂ ପ୍ରତ୍ୟକ୍ଷ ସମ୍ପତ୍ତିରେ ନିବେଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୮% ପରିବାର ଜମି ଓ କୋଠାରେ, ୬ ପ୍ରତିଶତ ମ୍ୟୁଚୁଆଲ୍ ଫଣ୍ଡ୍‌, ୩ ପ୍ରତିଶତ ଷ୍ଟକ ବଜାର ଏବଂ ୩ ପ୍ରତିଶତ ୟୁଲିପ୍‌ରେ ନିବେଶ କରିଛନ୍ତି। ରିପୋର୍ଟ ଅନୁସାରେ ୧୧ ପ୍ରତିଶତ ପରିବାର ବ୍ୟାଙ୍କ କିମ୍ବା ଏନ୍‌ବିଏଫ୍‌ସିରୁ ଋଣ ନେଇଛନ୍ତି। ଲୋକମାନେ ସର୍ବାଧିକ ବ୍ୟକ୍ତିଗତ ଋଣ ନେଇଥିବା ବେଳେ ଗୃହ ଋଣ ଦ୍ବିତୀୟ ସ୍ଥାନରେ ରହିଛି। ଏହି ସର୍ଭେକୁ ଚଳିତ ବର୍ଷ ମେ’ରୁ ସେପ୍ଟେମ୍ବର ମଧ୍ୟରେ ୨୦ଟି ରାଜ୍ୟର ୩୧,୧୫୦ ପରିବାରକୁ ନେଇ କରାଯାଇଥିଲା।

ସମ୍ବନ୍ଧିତ ଖବର