ଭୁବନେଶ୍ୱର: ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶା ଟ୍ରାଭେଲ ବଜାରର ୬ଷ୍ଠ ସଂସ୍କରଣ ଆଜି ଘୋଷଣା କରାଯାଇଛି। ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରମୁଖ କାର୍ଯ୍ୟକ୍ରମ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସାଂସ୍କୃତିକ ଐତିହ୍ୟ, ଶାନ୍ତ ବେଳାଭୂମି, ଇକୋ-ଟୁରିଜିମ ଓ ଦୁଃସାହିକ ପର୍ଯ୍ୟଟନ ସୁଯୋଗଗୁଡ଼ିକ ସଂପର୍କରେ ଅବତାରଣା କରିଥିଲେ। ପର୍ଯ୍ୟଟନ ବିଭାଗର କମିସନର ତଥା ସଚିବ ବଲୱନ୍ତ ସିଂହ ଓଡ଼ିଶାର ପର୍ଯ୍ୟଟନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ପର୍ଯ୍ୟଟନ ନୀତି, ପଦକ୍ଷେପ ଓ ରଣନୈତିକ ଦୃଷ୍ଟିକୋଣ ଉପରେ ତଥ୍ୟ ରଖିଥିଲେ।

Advertisment

ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫ ହେଉଛି ଏକ ପ୍ରମୁଖ କ୍ରେତା-ବିକ୍ରେତା ସମ୍ମିଳନୀ  ଯାହା ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ୍‌ ଓ ଟୁର୍‌ ଅପରେଟର୍‌, ଡେଷ୍ଟିନେସନ୍‌ ମ୍ୟାନେଜମେଣ୍ଟ୍‌ କମ୍ପାନି (ଡିଏମ୍‌ସି) ଓ ଓଡ଼ିଶାର ବିକ୍ରେତାମାନଙ୍କୁ ଏକତ୍ରିତ କରିବ। ମେ’ଫେୟାର କନ୍‌ଭେନସନ ଓ ସ୍ୱସ୍ତି ପ୍ରିମିୟମ ଭୁବନେଶ୍ୱରଠାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ଓଡ଼ିଶାର ବିସ୍ତୃତ ପର୍ଯ୍ୟଟନ କ୍ଷେତ୍ରକୁ ଅନ୍ୱେଷଣ କରିବା ପାଇଁ ସୁଯୋଗ ଦେବ। ଦେଶର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର୍‌ ଅପରେଟର୍‌ ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ, ବେଲ୍‌ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ରୁ ଅଧିକ ବିଦେଶୀ ଟୁର୍‌ ଅପରେଟର୍‌ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ୭୦ ଜଣ ସେଲର୍‌, ଘରୋଇ ଟୁର୍‌ ଅପରେଟର୍‌ ଓ ବିଦେଶୀ ଟୁର୍‌ ଅପରେଟର୍‌ଙ୍କ ମଧ୍ୟରେ ବିଟୁବି ବୈଠକଗୁଡ଼ିକ ଉପରେ ଗୁରୁତ୍ୱ ଦେବ। ଏଥିସହିତ ଅଂଶଗ୍ରହଣକାରୀମାନେ ଭିତରକନିକା, ରଘୁରାଜପୁର, ପୁରୀ-କୋଣାର୍କ, ହୀରକ ତ୍ରିଭୁଜ ଭଳି ବିଭିନ୍ନ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀଗୁଡ଼ିକୁ ଯିବେ। ଏଥିସହ ସେଲରମାନଙ୍କ ସହ ୩୦୦୦ ପୂର୍ବ ନିର୍ଦ୍ଧାରିତ ବୈଠକ ଧାର୍ଯ୍ୟ କରାଯାଇଛି।