ରାଜ୍ୟ ହରାଇଲା ସାଢ଼େ ୭ ଲକ୍ଷ ମୋବାଇଲ୍ ଗ୍ରାହକ, ଗାଁରୁ ଅଧିକ କଟିଲା

ଦେଶରେ ଓଡ଼ିଶା ହରାଇଛି ସର୍ବାଧିକ ଗ୍ରାହକ, ରାଜ୍ୟରେ ୧୦୦ରୁ ୭୫ ଜଣଙ୍କ ପାଖରେ ଫୋନ୍

ଭୁବନେଶ୍ବର: ଚଳିତ ବର୍ଷ ଅଗଷ୍ଟ ମାସରେ ଓଡ଼ିଶା ସାଢ଼େ ସାତ ଲକ୍ଷ ମୋବାଇଲ୍‌ ଗ୍ରାହକ ହରାଇଛି। କୌଣସି ଗୋଟିଏ ମାସରେ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟାରେ ଏଭଳି ହ୍ରାସ ପୂର୍ବରୁ ‌କେବେ ଦେଖିବାକୁ ମିଳିନଥିଲା। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟରେ ଓଡ଼ିଶା ମୋଟ୍‌ ୭,୫୫,୭୦୩ ଜଣ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି। ରିଲାଏନ୍ସ ଜିଓକୁ ବାଦ ଦେଲେ ଅନ୍ୟ ସବୁ କଂପାନିର ଗ୍ରାହକ ସଂଖ୍ୟା ହ୍ରାସ ପାଇଛି। ସର୍ବଭାରତୀୟ ସ୍ତରରେ ମଧ୍ୟ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁ ଠାରେ ଗୋଟିଏ ମାସରେ ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ଏତେ ବଡ଼ ଧରଣର ହ୍ରାସ ଘଟିଛି। ସାରା ଦେଶରେ ମାତ୍ର ପାଞ୍ଚଟି ରାଜ୍ୟ-ଓଡ଼ିଶା, ଗୁଜରାଟ, ବିହାର, ଜମ୍ମୁ ଓ କଶ୍ମୀର ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା କମିଛି। ଓଡ଼ିଶାକୁ ବାଦ ଦେଲେ ଅନ୍ୟ ସବୁ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ଟ୍ରାଇ ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟ ମା‌ସରେ ରାଜ୍ୟର ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୨୫ ଲକ୍ଷ ୩ ହଜାର ୪୫୧କୁ ଖସିଆସିଛି। ଜୁଲାଇରେ ସେମାନଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୧୧ ହଜାର ୯୫୩ ଥିଲା। ଅଗଷ୍ଟ ମାସରେ ଏୟାରଟେଲ୍‌ ୧ ଲକ୍ଷ ୧୮ ହଜାର ୩୨୧, ଭୋଡାଫୋନ୍ ଆଇଡିଆ ୧ ଲକ୍ଷ ୧୧ ହଜାର ୪୫୧ ଓ ବିଏସ୍‌ଏନ୍‌ଏଲ୍‌ ୫ ଲକ୍ଷ ୨୫ ହଜାର ୯୩୧ ଜଣ ମୋବାଇଲ୍‌ ଗ୍ରାହକଙ୍କୁ ହରାଇଛି। ଏହି ତିନିି କଂପାନି ମୋଟ ଉପରେ ୭,୫୫, ୭୦୩ ଜଣ ଗ୍ରାହକଙ୍କୁ ହରାଇଛନ୍ତି। ସେହି ସମୟରେ ରିଲାଏନ୍‌ସ ଜିଓ ୩ ଲକ୍ଷ ୪୭ ହଜାର ୨୦୧ ଜଣ ନୂଆ ଗ୍ରାହକଙ୍କୁ ଯୋଡ଼ି ଥିବାରୁ ରାଜ୍ୟର ମୋବାଇଲ ଗ୍ରାହକ ସଂଖ୍ୟାରେ ହୋଇଥିବା ବଡ଼ ଧରଣର ହ୍ରାସ କିଛିଟା ଲଗାମ ଲାଗିପାରିଛି।

ଜୁଲାଇ ଓ ଅଗଷ୍ଟ ମାସର ଗ୍ରାହକ ସଂଖ୍ୟା‌କୁ ତୁଳନା କଲେ ରାଜ୍ୟ ମୋଟ ୪ ଲକ୍ଷ ୮ ହଜାର ୫୦୨ ଜଣ ମୋବାଇଲ୍‌ ଗ୍ରାହକଙ୍କୁ ହରାଇଛି ବୋଲି କୁହାଯାଇପାରିବ। ମାତ୍ର, କଂପାନି ଅନୁସାରେ ରାଜ୍ୟ ସାଢ଼େ ସାତ ଲକ୍ଷ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି। ଗତ ଅଗଷ୍ଟ ସୁଦ୍ଧା ଓଡ଼ିଶାର ଟେଲି ସାନ୍ଦ୍ରତା ୭୫.୦୫ ପ୍ରତିଶତ ରହିଛି। ଏହାର ଅର୍ଥ ହେଉଛି ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୫ ଜଣଙ୍କ ପାଖରେ ଟେଲିଫୋନ୍ ସଂଯୋଗ ରହିଛି। ଏହି ମାସରେ ରାଜ୍ୟର ୯.୦୯ ନିୟୁତ ଗ୍ରାହକ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ସେବାକୁ ବ୍ୟବହାର କରି କଂପାନି ବଦଳାଇବା ପାଇଁ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର