ମୁମ୍ବାଇ: ପୁଞ୍ଜି ବଜାର ପ୍ରତି ଅଧିକରୁ ଅଧିକ ଲୋକ ଆକୃଷ୍ଟ ହୋଇ ନିବେଶ କରୁଛନ୍ତି। ଆବଶ୍ୟକ ଜ୍ଞାନ ଓ ବୁଝାମଣାର ଅଭାବରୁ ଅଧିକାଂଶ ଲୋକ କ୍ଷତି ସହୁଛନ୍ତି। ପ୍ରତି ୧୦ରୁ ୭ ଜଣ ଖୁଚୁରା ନିବେଶକ ଷ୍ଟକ୍ ବଜାରରେ କ୍ଷତି ସହୁଥିବା ଜଣାପଡ଼ିଛି। ଏହା ପୂର୍ବରୁ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ‌ଇକ୍ବିଟି ଡେରିଭେଟିଭ୍‌ ବର୍ଗରେ ପ୍ରତି ୧୦ ଜଣରୁ ୯ ଜଣ ଟ୍ରେଡର୍‌ କ୍ଷତି ସହୁଛନ୍ତି।

Advertisment

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ନୂଆ ସର୍ବେକ୍ଷଣ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତି ତିନି ନିବେଶକଙ୍କ ଭିତରୁ ଜଣେ ଲେଖାଏଁ ବିପଦପୂର୍ଣ୍ଣ ଇଣ୍ଟ୍ରା-ଡେ ଟ୍ରେଡିଂ କରୁଛନ୍ତି। ସେମାନଙ୍କ ଭିତରୁ ୭୦ ପ୍ରତିଶତ କ୍ଷତି ସହୁଛନ୍ତି। ଦେଶରେ ୩୦ ବର୍ଷରୁ କମ୍ ବୟସର ନିବେଶକମାନଙ୍କ ଅବଦାନ ୪୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮-୧୯ରେ ସେମାନଙ୍କ ସଂଖ୍ୟା ୧୮ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିଲା। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ‌ଯେ ଇକ୍ବିଟି କ୍ୟାସ୍‌ କ୍ଷେତ୍ରରେ ଇଣ୍ଟ୍ରା-ଡେ ଟ୍ରେଡିଂ କରୁଥିବା ନିବେଶକଙ୍କ ସଂଖ୍ୟା ୬୯ ଲକ୍ଷକୁ ବୃଦ୍ଧି ପାଇଛି ଯାହା ୨୦୧୮-୧୯ରେ ୧୫ ଲକ୍ଷ ଥିଲା। ଇତି ମଧ୍ୟରେ ସେମାନଙ୍କ ସଂଖ୍ୟାରେ ୪.୬ ଗୁଣା ବୃଦ୍ଧି ହୋଇଛି। ଏହି କ୍ଷେତ୍ରରେ କମ୍ କାରବାର କରୁଥିବା, କ୍ବଚିତ୍‌ କାରବାର କରୁଥିବା, ଯୁବ ଟ୍ରେଡର୍‌ ଏବଂ ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକର ଟ୍ରେଡରଙ୍କୁ ଦେଖିବାକୁ ମିଳୁଛି। ଦୈନିକ ୫୦ ହଜାର ଟଙ୍କାରୁ କମ୍ ଟ୍ରେଡିଂ କରୁଥିବା ଟ୍ରେଡରମାନଙ୍କ ସଂଖ୍ୟା ମଧ୍ୟ ଆଲୋଚ୍ୟ ସମୟ ଖଣ୍ଡରେ ୨୭ ପ୍ରତିଶତରୁ ବୃଦ୍ଧି ପାଇ ୫୬ ପ୍ରତିଶତରେ ପହଞ୍ଚିଛି।