ନୂଆଦିଲ୍ଲୀ: ୭୦ ବର୍ଷରୁ ଊର୍ଧ୍ୱ ବୟସର ବ୍ୟକ୍ତି ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଘରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି। ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ଲାଗି ରିଜର୍ଭ ବ୍ୟାଙ୍କ କହିଛି। ଦୃଷ୍ଟିହୀନ ବ୍ୟକ୍ତିଙ୍କ ସମେତ ବରିଷ୍ଠ ନାଗରିକମାନେ ମୌଳିକ ବ୍ୟାଙ୍କିଙ୍ଗ ସେବା ସେମାନଙ୍କ ଘରେ ପାଇବେ। ଏପରିକି ଏହି ବ୍ୟକ୍ତିମାନେ ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ (କେଓ୍ଵାଇସି) ଦସ୍ତାବିଜ ଓ ଜୀବନ ପ୍ରମାଣପତ୍ର ମଧ୍ୟ ଘରେ ଦେଇପାରିବେ। ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଦେଇଥିବା ନିର୍ଦେଶନାମାରେ କହିଛି, ଅନେକ ସମୟରେ ଏହା ଦେଖାଯାଇଛି ବ୍ୟାଙ୍କ ଶାଖା ଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କିଂ ସେବା ପାଇବା ନେଇ ନିରୁତ୍ସାହିତ କରିଥାନ୍ତି। ଡିଜିଟାଲ କାରବାର ଏବଂ ଏଟିଏମ୍ ବ୍ୟବହାରକୁ ସରକାର ପ୍ରୋତ୍ସାହିତ କରୁଥିଲେ ମଧ୍ୟ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ବ୍ୟାଙ୍କିଂ ସେବା ଯୋଗାଇବା ନେଇ ବ୍ୟାଙ୍କ ଗୁଡ଼ିକ ସମ୍ବେଦନଶୀଳ ହେବା ଆବଶ୍ୟକ। ଏହିବର୍ଗର ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ଖୋଲିବା ଲାଗି ରିଜର୍ଭ ବ୍ୟାଙ୍କ କହିଛି। ସେହିଭଳି ପେନ୍ସନ୍ ପ୍ରଦାନ କରୁଥିବା ଯେକୌଣସି ବ୍ୟାଙ୍କ ଶାଖାରେ ଏହି ବ୍ୟକ୍ତିମାନେ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ବ୍ୟାଙ୍କ ଗୁଡ଼ିକ ଏହି ଜୀବନ ପ୍ରମାଣପତ୍ରକୁ ସେମାନଙ୍କ ସିବିଏସ୍ (କୋର୍ ବ୍ୟାଙ୍କିଂ ସଲ୍ୟୁସନ୍ସ) ବ୍ୟବସ୍ଥାରେ ଅପଲୋଡ କରିବାକୁ କୁହାଯାଇଛି। ଏତଦ୍ବ୍ୟତୀତ ବର୍ଷକୁ ୨୫ଟି ଚେକ୍ ରହିଥିବା ଚେକ୍ ବହି ଏମାନଙ୍କୁ ପ୍ରତିବର୍ଷ ମାଗଣାରେ ଯୋଗାଇ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି। ଚେକ୍ ବହି ପାଇଁ ଏମାନଙ୍କ ବ୍ୟାଙ୍କରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ।
୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବନି
/sambad/media/post_attachments/wp-content/uploads/2017/11/666.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)