ମାଇକ୍ରୋଫାଇନାନ୍ସରେ ୭୦୦୦ କୋଟିର ଏନ୍‌ପିଏ

ଭୁବନେଶ୍ୱର: ବିମୁଦ୍ରାକରଣ ଘୋଷଣା ହେବା ପରେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକର ଏନ୍‌ପିଏ ପରିମାଣ ବହୁତ ବଢ଼ିଯାଇଥିଲା। ଏହା ଏବେ ୭୦୦୦ କୋଟି ଟଙ୍କାରେ ପହଞ୍ଚିଯାଇଛି। ସେଥି ମଧ୍ୟରୁ ଦୁଇରୁ ତିନି ହଜାର କୋଟି ଟଙ୍କାକୁ ବିଭିନ୍ନ ସଂସ୍ଥା ରାଇଟ୍‌ ଅଫ୍‌ କରିବାକୁ ବାଧ୍ୟ ହୋଇଛନ୍ତି।

କିଛି ମାସ ହେଲାଣି ମାଇକ୍ରୋଫାଇନାନ୍ସ ଶିଳ୍ପ ଏକ ନୂଆ ପ୍ରକାର ସମସ୍ୟା ଦେଇ ଗତି କରୁଛି। ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ଼ ଘୋଷଣା କରାଯିବା ପରେ ଋଣ ଅର୍ଥ ଆଦାୟ କରିବାକୁ ନେଇ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ଅସୁବିଧା ସାମ୍ନା କରୁଛନ୍ତି। ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଏହି ସମସ୍ୟା ଅଧିକ ରହିଛି। ଧୀରେ ଧୀରେ ଏହି ସ୍ଥିତିରେ ସୁଧାର ଆସୁଛି ବୋଲି ମାଇକ୍ରୋଫାଇନାନ୍ସ ଇନଷ୍ଟିଚ୍ୟୁସନ୍‌ ନେଟ୍‌ଓ୍ଵର୍କ (ଏମ୍‌ଏଫ୍‌ଆଇଏନ୍‌)ର ନବ ନିର୍ବାଚିତ ଉପସଭାପତି ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି। ସେ କହିଲେ, ସାରା ଦେଶରେ ମାଇକ୍ରୋଫାଇନାନ୍ସ ଶିଳ୍ପର ପରିମାଣ ୬୦ ହଜାର କୋଟି ଟଙ୍କା ରହିଛି ଓ ଗ୍ରାହକ ସଂଖ୍ୟା ୪ କୋଟିରୁ ଅଧିକ ରହିଛି। ସେମାନଙ୍କ ମଧ୍ୟରୁ ୯୮% ହେଉଛନ୍ତି ମହିଳା। ପାଖାପାଖି ୮୦ ସଂସ୍ଥା ଏହି ଶିଳ୍ପରେ କାମ କରୁଥିବା ବେଳେ ୪୭ଟି ସଂସ୍ଥା ଏମ୍‌ଏଫ୍‌ଆଇଏନ୍‌ ସହିତ ପଞ୍ଜୀକୃତ ହୋଇଛନ୍ତି।

ଓଡ଼ିଶାରେ ୨୦ରୁ ଅଧିକ ମାଇକ୍ରୋଫାଇନାନ୍ସ ସଂସ୍ଥା କାମ କରୁଥିବା ବେଳେ ସେମାନେ ୫୩୦୦ କୋଟି ଟଙ୍କା ପାଖାପାଖି ଋଣ ପ୍ରଦାନ କରିଛନ୍ତି। ରାଜ୍ୟରେ ମାଇକ୍ରୋଫାଇନାନ୍ସ ଗ୍ରାହକ ସଂଖ୍ୟା ୨୯ ଲକ୍ଷରୁ ଅଧିକ ରହିଛି ବୋଲି ଏମ୍‌ଏଫ୍‌ଆଇଏନ୍‌ର ମୁଖ୍ୟ-ଷ୍ଟେଟ୍‌ ଇନିସିଏଟିଭ୍‌ ଭର୍ଟିକାଲ୍‌ ଅଚ୍‌ଲା ସବ୍ୟସାଚୀ କହିଛନ୍ତି। ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏମ୍‌ଏଫ୍‌ଆଇଏନ୍‌ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏହାର ସିଇଓ ହର୍ଷ ଶ୍ରୀବାସ୍ତବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର