ତୁର୍କୀରେ ମୁଦ୍ରାସ୍ଫୀତି ୭୦%

ଅଙ୍କାରା: ତୁର୍କୀରେ ଦରଦାମ ଆକାଶଛୁଆଁ ହୋଇଛି। ଦେଶର ମୁଦ୍ରାସ୍ଫୀତି ମାର୍ଚ୍ଚରେ ୬୧.୧୪ ପ୍ରତିଶତ ଥିବାବେଳେ ଏପ୍ରିଲରେ ୭୦ (୬୯.୯୭) ପ୍ରତିଶତକୁ ବୃଦ୍ଧି ପାଇଛି। ଫଳରେ ଦୁଇ ଦଶନ୍ଧିର ସର୍ବୋଚ୍ଚ ସ୍ତରରେ ତୁର୍କୀର ମୁଦ୍ରାସ୍ଫୀତି ପହଞ୍ଚିଛି। ଦରଦାମ ବୃଦ୍ଧି ଗୋଟିଏ ପଟେ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିବାବେଳେ ଅନ୍ୟପଟେ ରାଷ୍ଟ୍ରପତି ରିସେପ ତେୟିପ ‌ଏର୍ଡୋଗାନଙ୍କ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରାଷ୍ଟ୍ରପତି ଗ୍ରହଣ କରି ଆସୁଥିବା ଅଣ ପାରମ୍ପରିକ ଆର୍ଥିକ ନୀତି ଦରଦାମ ବୃଦ୍ଧିର ଏକ କାରଣ ବୋଲି କୁହାଯାଇଛି। ଏଥିସହିତ ତୁର୍କୀ ମୁଦ୍ରା ଲିରାର ମୂଲ୍ୟ ହ୍ରାସ ଫଳରେ ଦେଶକୁ ତେଲ ଏବଂ ଗ୍ୟାସ ଆମଦାନି ମହଙ୍ଗା ହୋଇଛି। ଏକଦା ବିଦେଶୀ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ପାଲଟିଥିବା ତୁର୍କୀରୁ ଏବେ ନିବେଶକମାନେ ମୁହଁ ଫେରାଇ ନେଉଛନ୍ତି।

ରୁଷ-ୟୁକ୍ରେନ ଯୁଦ୍ଧ ଏବଂ କରୋନା ମହାମାରୀ ଯୋଗୁ ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ମଧ୍ୟ ଦରଦାମ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ । ୨୦୦୨ ମସିହାରେ ଏର୍ଡୋଗାନଙ୍କ ଏକେ ପାର୍ଟି ଶାସନ କ୍ଷମତାକୁ ଆସିବା ପରେ ମୁଦ୍ରାସ୍ଫୀତି ପ୍ରଥମ ଥର ପାଇଁ ଏତେ ଉଚ୍ଚସ୍ତରରେ ପହଞ୍ଚିଛି। ଏପ୍ରିଲରେ ପରିବହନ କ୍ଷେତ୍ରର ମୁଦ୍ରାସ୍ଫୀତି ୧୦୫.୯ ପ୍ରତିଶତରେ ପହଞ୍ଚିଥିବାବେଳେ ଖାଦ୍ୟ ଏବଂ ମୃଦୁପାନୀୟ ମୁଦ୍ରାସ୍ଫୀତି ୮୯.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତବର୍ଷ ଠାରୁ ତୁର୍କୀ ମୁଦ୍ରା ଲିରା ମୂଲ୍ୟ ଡଲାର ତୁଳନାରେ ୪୪ ପ୍ରତିଶତ ହ୍ରାସ ଘଟିଛି। ଚଳିତବର୍ଷ ଜାନୁଆରିରୁ ବର୍ତ୍ତମାନ ମଧ୍ୟରେ ଲିରା ମୂଲ୍ୟ ୧୧ ପ୍ରତିଶତ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର