ବିଏସଏନଏଲରେ କାମ କରୁଥିବା ଆଇଟିଏସ ଅଧିକାରୀଙ୍କ ବକେୟା ଦରମା ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବିଏସଏନଏଲରେ କାମ କରୁଥିବା ଭାରତୀୟ ଦୂରସଂଚାର ସେବା ଅଧିକାରୀଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ ବିଏସଏନଏଲ ସିଏମଡିଙ୍କୁ ଏକ ପତ୍ର ଲେଖି ଏହି ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ବିଏସଏନଏଲରେ କାର୍ଯ୍ୟ କରୁଥିବା ଭାରତୀୟ ଦୂରସଂଚାର ସେବା ଅଧିକାରୀମାନେ ହେଉଛନ୍ତି କେନ୍ଦ୍ର ସରକାରଙ୍କ କର୍ମଚାରୀ ।

ଅନ୍ୟପକ୍ଷରେ ବିଏସଏନଏଲ ପକ୍ଷରୁ ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ଘୋଷଣା ହେବାର ଏକ ସପ୍ତାହ ମଧ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୭୦ ହଜାର କର୍ମଚାରୀ ଏଥିଲାଗି ଆବେଦନ କରିସାରିଲେଣି ବୋଲି ବିଏସଏନଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ. ପୁରଓ୍ଵାର କହିଛନ୍ତି ।

ସାରା ଦେଶରେ ବିଏସଏନଏଲରେ ମୋଟ ପ୍ରାୟ ଦେଢ ଲକ୍ଷ କର୍ମଚାରୀ ଅଛନ୍ତି । ୭୦ ହଜାର କର୍ମଚାରୀ ଅର୍ଥାତ ପ୍ରାୟ ଅଧା କର୍ମଚାରୀ ଭିଆରଏସ ନେବାପରେ କମ୍ପାନି ପ୍ରାୟ ୭ ହଜାର କୋଟି ଟଙ୍କା ସଂଚୟ କରିପାରିବ । ତେବେ ଭିଆରଏସ ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୩ ଥିବାରୁ ଆହୁରି ଅଧିକ କର୍ମଚାରୀ ଭିଆରଏସ ନେଇପାରନ୍ତି ବୋଲି କମ୍ପାନି ଆଶା କରୁଛି ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୩ ତାରିଖରେ ସରକାର ବିଏସଏନଏଲର ପୁନରୁଦ୍ଧାର ଯୋଜନାକୁ ମଂଜୁରୀ ଦେଇଥିଲେ । ଏହା ସହିତ ବିଏସଏନଏଲ-ଏମଟିଏନଏଲ ମିଶ୍ରଣକୁ ମଂଜୁରୀ ଦେଇଥିଲେ । ଏହା ସହିତ ସରକାର ଏହି କମ୍ପାନିରେ ପ୍ରାୟ ୨୯,୯୩୭ କୋଟି ଟଙ୍କାର ପୁଞ୍ଜି ଭର୍ତ୍ତି କରିବେ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସୋଭେରିନ ବଣ୍ଡ ଜାରି କରି ବଜାରରୁ ୧୫ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ । ଏହାଛଡା ଆସନ୍ତା ୪ ବର୍ଷରେ ୩୮ ହଜାର କୋଟି ଟଙ୍କାର ସଂପତ୍ତିକୁ ବିକ୍ରି କରାଯିବ ବୋଲି ସରକାର ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର