୭୧% ଭାରତୀୟ ସ୍ବାସ୍ଥ୍ୟକର ଖାଦ୍ୟରୁ ବଞ୍ଚିତ: ପୁଷ୍ଟିହୀନ ଖାଦ୍ୟ ଖାଇ ବର୍ଷକୁ ମରୁଛନ୍ତି ୧୭ ଲକ୍ଷ
ଖାଦ୍ୟରେ ଫଳ, ପରିବା, ଡାଲିର ଅଭାବ, ଖାଦ୍ୟମୂଲ୍ୟ ଆୟର ୬୩% ଟପିଲେ ଖାଇପାରୁନାହାନ୍ତି
ନୂଆଦିଲ୍ଲୀ: ପୁଷ୍ଟିକର ଖାଦ୍ୟର ଉତ୍ତମ ପ୍ରଭାବ ସ୍ବାସ୍ଥ୍ୟ ଉପରେ ରହିଥାଏ। କିନ୍ତୁ ଏଥିପାଇଁ ଲୋକଙ୍କ ପକେଟରେ ଅର୍ଥ ଥିବା ମଧ୍ୟ ଆବଶ୍ୟକ। ତେଣୁ ଆର୍ଥିକ କ୍ଷମତା ଓ ପୁଷ୍ଟିକର ଖାଦ୍ୟ ଖାଇବା ଭିତରେ ସିଧାସଳଖ ସଂପର୍କ ରହିଥାଏ। କିନ୍ତୁ ପରିତାପର ବିଷୟ ହେଲା ଭାରତରେ ୭୧ ପ୍ରତିଶତ ଲୋକ ସ୍ବାସ୍ଥ୍ୟକର ଖାଦ୍ୟ କିଣି ଖାଇବାର ସାମର୍ଥ୍ୟ ରଖିନାହାନ୍ତି। ଆବଶ୍ୟକ ପୋଷଣ ତତ୍ତ୍ବ ଥିବା ଖାଦ୍ୟ ଖାଇ ନପାରିବା କାରଣରୁ ବର୍ଷକୁ ଦେଶରେ ୧୭ ଲକ୍ଷ ଲୋକ ବିଭିନ୍ନ ରୋଗର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ହାରାହାରି ଭାରତୀୟଙ୍କ ଖାଦ୍ୟରେ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟସାମଗ୍ରୀ ଯଥା ଫଳ, ପନିପରିବା ଏବଂ ଡାଲିଜାତୀୟ ଶସ୍ୟର ଅଭାବ ରହିଛି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ବ୍ୟକ୍ତିଙ୍କର ଆୟ ତୁଳନାରେ ତାଙ୍କର ଖାଦ୍ୟର ମୂଲ୍ୟ ଯଦି ୬୩ ପ୍ରତିଶତରୁ ଅଧିକ ହେଉଛି ତାହେଲେ ସେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି। ଭାରତରେ ୭୧ ପ୍ରତିଶତ ଲୋକ ସ୍ବାସ୍ଥ୍ୟକର ଖାଦ୍ୟ କିଣିବାରେ ସକ୍ଷମ ହେଉନାହାନ୍ତି। କିନ୍ତୁ ବିଶ୍ବରେ ଏହି ପ୍ରତିଶତ ୪୨ରେ ରହିଛି। ସେଣ୍ଟର ଫର ସାଇନ୍ସ ଆଣ୍ଡ୍ ଏନଭାର୍ଣ୍ଣମେଣ୍ଟ୍ ଏବଂ ଡାଉନ ଟୁ ଆର୍ଟ ମାଗାଜିନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଅଧିକାଂଶ ଭାରତୀୟଙ୍କ ଖାଦ୍ୟରେ ଫଳ, ପନିପରିବା, ଡାଲିଜାତୀୟ ଶସ୍ୟ, କାଜୁ, ଆଲମଣ୍ଡ ଓ ବାଦାମ ଭଳି ଖାଦ୍ୟ ରହୁନାହିଁ। କିନ୍ତୁ ମାଛ, ଦୁଗ୍ଧ ଏବଂ ମଟନ ସେମାନଙ୍କ ପହଞ୍ଚ ମଧ୍ୟରେ ରହୁଛି ବୋଲି ଅନ୍ତର୍ଜାତୀୟ ପୋଷଣ ରିପୋର୍ଟ ୨୦୨୧ରେ କୁହାଯାଇଛି। ପୋଷଣତତ୍ତ୍ବ କମ୍ ରହିଥିବା ଖାଦ୍ୟ ଖାଇବା ଦ୍ବାରା ଲୋକଙ୍କ ଠାରେ ଶ୍ବାସପ୍ରଶ୍ବାସଜନିତ ରୋଗ, ମଧୁମେହ, କର୍କଟ, ଷ୍ଟ୍ରୋକ୍ ଏବଂ ହୃଦରୋଗ ଭଳି ରୋଗ ଦେଖାଦେଉଛି।
ବିଶ୍ବ ଖାଦ୍ୟ ଓ କୃଷି ସଂଗଠନର ସଂଗଠନର ରିପୋର୍ଟ ଅନୁଯାୟୀ ଯଦି ସ୍ବାସ୍ଥ୍ୟକର ଖାଦ୍ୟ ଜଣେ ବ୍ୟକ୍ତିଙ୍କ ଆୟର ୬୩ ପ୍ରତିଶତରୁ ଅଧିକ ହେଉଛି ତାହେଲେ ତାହା ତାଙ୍କ ପହଞ୍ଚ ବାହାରକୁ ଚାଲିଯାଉଛି। ୨୦ ବର୍ଷରୁ ଅଧିକ ବୟସର ଯୁବକମାନେ ଦିନକୁ କେବଳ ୩୫.୮ ଗ୍ରାମ ଫଳ ଖାଇ ପାରୁଛନ୍ତି। କିନ୍ତୁ ଏହି ବୟସର ଲୋକଙ୍କୁ ଦିନକୁ ହାରାହାରି ୨୦୦ ଗ୍ରାମ ଫଳ ଖାଇବାର ଆବଶ୍ୟକତା ରହିଛି। ସେହିଭଳି ଏହି ବର୍ଗର ଲୋକମାନେ ଦିନକୁ ମାତ୍ର ୧୬୮.୭ ଗ୍ରାମ ପନିପରିବା ଖାଇ ପାରୁଛନ୍ତି। କିନ୍ତୁ ସେମାନଙ୍କୁ ଦିନକୁ ୩୦୦ ଗ୍ରାମ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି। ସେହିଭଳି ସେମାନେ ଦିନକୁ ମାତ୍ର ୨୪.୯ ଗ୍ରାମର ଡାଲିଜାତୀୟ ଶସ୍ୟ ଖାଇ ପାରୁଛନ୍ତି ଯାହାକି ଟାର୍ଗେଟର ମାତ୍ର ୨୫ ପ୍ରତିଶତ ଏବଂ କାଜୁ, ଆଲମଣ୍ଡ, ବାବାମ ଭଳି ଖାଦ୍ୟ ଦିନକୁ ମାତ୍ର ୩.୨ ପ୍ରତିଶତ ଖାଉଛନ୍ତି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୩ ପ୍ରତିଶତ।
ଯଦିଓ କିଛିଟା ଅଗ୍ରଗତି ହୋଇଛି ତଥାପି ସ୍ବାସ୍ଥ୍ୟକର ଖାଦ୍ୟ କ୍ଷେତ୍ରରେ ତାହା ସନ୍ତୋଷଜନକ ନୁହେଁ ବୋଲି କୁହାଯାଇଛି। ଏଥିସହିତ ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା କ୍ଷେତ୍ରରେ ପ୍ରତିବନ୍ଧକ ହୋଇଛି। ଗତବର୍ଷ ଖାଦ୍ୟସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତିରେ ୩୨୭ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ଖାଉଟି ମୂଲ୍ୟସୂଚୀରେ ୮୪ ପ୍ରତିଶତ ବୃଦ୍ଧି ଘଟିଛି। ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧିରେ ଖାଦ୍ୟସାମଗ୍ରୀର ପ୍ରମୁଖ ଭୂମିକା ରହୁଛି। ଖାଦ୍ୟ ସାମଗ୍ରୀରେ ବର୍ତ୍ତମାନ ଯେଉଁ ମୁଦ୍ରାସ୍ଫୀତି ଦେଖାଦେଇଛି ସେଥିପାଇଁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ଅନ୍ତର୍ଜାତୀୟ ବଜାରରେ ଫସଲ ମୂଲ୍ୟ ବୃଦ୍ଧି ଏବଂ ପାଣିପାଗଜନିତ ସମସ୍ୟା ଦାୟୀ ବୋଲି କୁହାଯାଇଛି।