ମୁମ୍ବାଇ: ସୋମବାର ମୋବାଇଲ୍ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକର ମାଲିକ ଏବଂ ନିବେଶକଙ୍କ ପାଇଁ ଥିଲା ଏକ ସ୍ୱତନ୍ତ୍ର ଦିନ। ଏହି ଗୋଟିଏ ଦିନରେ ଦେଶର ଦୁଇ ପ୍ରମୁଖ ଟେଲିକମ୍ ଶିଳ୍ପପତି ମୁକେଶ ଅମ୍ବାନି ଏବଂ ସୁନୀଲ ମିତ୍ତଲଙ୍କ ସମ୍ପତ୍ତି ପରିମାଣ ୯୭୫୦ କୋଟି ଟଙ୍କା ବଢ଼ିଛି। ମୁକେଶ ଅମ୍ବାନି ହେଉଛନ୍ତି ରିଲାଏନ୍ସ ଜିଓର ମାଲିକ। ସୋମବାର ଦିନ ଜିଓର ସେୟାର ମୂଲ୍ୟ ବଢ଼ିଯିବାରୁ ମୁକେଶଙ୍କ ସମ୍ପତ୍ତି ପରିମାଣ ୭୧୫୦ କୋଟି ଟଙ୍କା ବୃଦ୍ଧି ପାଇଛି। ଜିଓର ସେୟାର ମୂଲ୍ୟ ୩%ରୁ ଅଧିକ ବଢ଼ିଛି। ସେହିପରି ଭାରତୀ ଏୟାରଟେଲ୍ର ମୁଖ୍ୟ ସୁନୀଲ ମିତ୍ତଲଙ୍କ ସମ୍ପତ୍ତି ପରିମାଣ ସୋମବାର ୨୬୦୦ କୋଟି ଟଙ୍କା ବଢ଼ିଛି। ଏୟାରଟେଲ୍ ସେୟାର ମୂଲ୍ୟରେ ପାଖାପାଖି ୫% ବୃଦ୍ଧି ହୋଇଛି। ଜିଓ ପକ୍ଷରୁ ପ୍ଲାନ୍ ମୂଲ୍ୟ ବୃଦ୍ଧି କରାଯିବା ପରେ ଟେଲିକମ୍ କଂପାନିଗୁଡ଼ିକର ସେୟାର ମୂଲ୍ୟ ପୁଣି ଥରେ ଆକର୍ଷଣୀୟ ହୋଇଛି। ଜିଓ ପକ୍ଷରୁ ସୁଲଭ ମୂଲ୍ୟରେ ଏବଂ ମାଗଣାରେ ଅନେକ ପ୍ରକାର ସେବା ପ୍ରଦାନ କରାଯିବା ପରଠାରୁ ଟେଲିକମ୍ ଶିଳ୍ପ ଏକ ପ୍ରକାର ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି। ଅନ୍ୟ କଂପାନିଗୁଡ଼ିକ ରାଜସ୍ୱ ବଢ଼ାଇବା ପାଇଁ ସଂଘର୍ଷ କରୁଛନ୍ତି। କିଛି କଂପାନି ବ୍ୟବସାୟରେ ତିଷ୍ଠି ରହିବାକୁ ପରଷ୍ପର ସହ ମିଶିଗଲେଣି। ଅନ୍ୟମାନେ ଏହି ବ୍ୟବସାୟ ଛାଡ଼ିବାର ବାଟ ଖୋଜୁଛନ୍ତି। ଏଭଳି ପରିସ୍ଥିତିରେ ଜିଓ ପକ୍ଷରୁ ପ୍ଲାନ୍ ଦର ବୃଦ୍ଧି କରାଯିବ ଦ୍ୱାରା ଅନ୍ୟ କଂପାନିଗୁଡ଼ିକର ବ୍ୟବସାୟ ବଞ୍ଚି ରହିବା ପ୍ରତି ଏକ ପ୍ରକାର ନୂତନ ସମ୍ଭାବନା ସୃଷ୍ଟି ହୋଇଛି। ଫୋର୍ବସ ଅନୁଯାୟୀ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୪୧୩୦ କୋଟି ଡଲାର। ସେହିପରି ସୁନୀଲ ମିତ୍ତଲଙ୍କ ସମ୍ପତ୍ତି ପରିମାଣ ହେଉଛି ୧୦୧୦ କୋଟି ଡଲାର। ସୁନୀଲଙ୍କ କଂପାନି ଭାରତୀ ଏୟାରଟେଲ୍ର ପୁଞ୍ଜି ବଜାରରେ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ଭଳି ସ୍ତରରେ ପହଞ୍ଚିଯାଇଛି।
ଦିନକରେ ମୁକେଶଙ୍କ ସମ୍ପତ୍ତି ୭୧୫୦ କୋଟି ଟଙ୍କା ବଢ଼ିଲା
/sambad/media/post_attachments/wp-content/uploads/2017/10/mukesh-ambani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)