ଦୁଇ ପାଇପ୍‌ଲାଇନ୍‌ରେ ୭୨୦୦ କୋଟି ନିବେଶ ହେବ

ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ, ଇଣ୍ଡିଆନ୍‌ ଅଏଲ୍‌, ଗେଲ୍‌ ନିର୍ମାଣ କରିବେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଓଡ଼ିଶା ଗସ୍ତ ସମୟରେ ଦୁଇଟି ପାଇପ୍‌ଲାଇନ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତାହା ହେଉଛି ଇଣ୍ଡିଆନ୍‌ ଅଏଲ୍‌ର ‘ପାରାଦୀପ-ହାଇଦ୍ରାବାଦ’ ପାଇପ୍‌ଲାଇନ୍‌ ଓ ଗେଲ୍‌ର ‘ବୋକାରୋ-ଅନୁଗୁଳ’ ସେକ୍ସନ୍ ପାଇପ୍‌ଲାଇନ୍‌। ଏହି ଦୁଇ ପ୍ରକଳ୍ପରେ ମୋଟ ୭୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଓ ପ୍ରକଳ୍ପ କାର୍ଯ୍ୟ ଦୁଇ ବର୍ଷ ଭିତରେ ଶେଷ କରାଯିବ। ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ୍‌ ଅଏଲ୍‌ର ସିଜିଏମ୍ ପ୍ରୀତିଶ ଭରତ, ଏସ୍‌ଇଆର୍‌ପିଏଲ୍‌ର ଇଡି ପି ସି ଚୌବେ ଓ ଗେଲ୍‌ର ସିଜିଏମ୍‌ ଏସ୍‌ କେ ପାଠକ ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଉର୍ଜା‌ ଗଙ୍ଗା ଯୋଜନା ଅଧୀନରେ ବୋକାରୋ-ଅନୁଗୁଳ ସେକ୍ସନ୍‌ରେ ଜଗଦ୍ଦିଶପୁର-ହଳଦିଆ ଓ ବୋକାରୋ-ଧାମାରା ପାଇପ୍‌ଲାଇନ୍ ନିର୍ମାଣ କରାଯିବ। ପାରାଦୀପ-ହାଇଦ୍ରାବାଦ ୧୨୧୨ କିଲୋମିଟର ପାଇପ୍‌ଲାଇନ୍‌ ଓଡ଼ିଶାର ୧୬ଟି ଜିଲ୍ଲା ଦେଇ ଗତି କରିବ। କେବଳ ଓଡ଼ିଶାରେ ଏହି ପାଇପ୍‌ଲାଇନ୍‌ର ୩୭୦ କିଲୋମିଟର ଅଂଶ ରହିବ। ଏହି ପାଇପ୍‌ଲାଇନ୍‌ରେ ଇଣ୍ଡିଆନ୍‌ ଅଏଲ୍‌ ଏହାର ପାରାଦୀପ ବିଶୋଧନାଗାରରୁ ପେଟ୍ରୋଲ, ଡିଜେଲ୍, ବିମାନ ଇନ୍ଧନ ଓ କିରୋସିନି ଆଦି ବିଭିନ୍ନ ସ୍ଥାନକୁ ପରିବହନ କରିବ। ଏହି ପ୍ରକଳ୍ପରେ ମୋଟ୍‌ ୩୮୦୮ କୋଟି ଟଙ୍କା ବିନିଯୋଗ ହେବ। ରାଜ୍ୟର ପାରାଦୀପ ଓ ବ୍ରହ୍ମପୁର ଠାରେ ଏଥିପାଇଁ ପମ୍ପିଂ ବ୍ୟବସ୍ଥା କରାଯିବ। ସେହିପରି, ୬୬୭ କିମି ବିଶି‌ଷ୍ଟ ବୋକାରୋ-ଅନୁଗୁଳ ସେକ୍ସନ୍‌ର ୩୬୭ କିଲୋମିଟର ପାଇପ୍‌ଲାଇନ୍‌ ଓଡ଼ିଶା ଭିତରେ ରହିବ। ରାଜ୍ୟର ପାଞ୍ଚଟି ଜିଲ୍ଲା ଯଥା ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଦେଇ ଏହା ଗତି କରିବ। ଏହି ପ୍ରକଳ୍ପରେ ମୋଟ ୩୪୦୦ କୋଟି ଟଙ୍କା ବିନିଯୋଗ ହେବ।

ସମ୍ବନ୍ଧିତ ଖବର