୭୩ ସମସ୍ୟାର ସମାଧାନ ପନ୍ଥା ନିର୍ଧାରଣ: ୨୯ଟି ନିବେଶ, ଭିତ୍ତିଭୁମି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା

ଆବଶ୍ୟକ ସହାୟତା ଦେବାକୁ ଜିଲ୍ଲାପାଳଙ୍କୁ କହିଲେ ମୁଖ୍ୟ ସଚିବ

ଭୁବନେଶ୍ବର: ରାଜ୍ୟରେ ୧,୨୯,୮୦୩ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ କରାଯାଉଥିବା ୨୯ଟି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା କରାଯାଇଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘କ୍ୟାବିନେଟ୍ କମିଟି ନିବେଶ ପ୍ରକଳ୍ପ ନିରୀକ୍ଷଣ ଦଳ’ (ସିସିଆଇ ପିଏମ୍‌ଜି) ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ସାମ୍ନା କରୁଥିବା ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ସେଗୁଡ଼ିକର ସମାଧାନ ପନ୍ଥା ବାହାର କରାଯାଇଛି। ପ୍ରକଳ୍ପଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ କହିଛନ୍ତି। ନିର୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ ପ୍ରକଳ୍ପ ସ୍ଥାପନ କରୁଥିବା ସଂସ୍ଥାଗୁଡ଼ିକୁ କହିଛନ୍ତି। ପ୍ରକଳ୍ପର ଅଗ୍ରଗତି ବିଷୟରେ ନିୟମିତ ସୂଚନା ସିସିଆଇ ପିଏମ୍‌ଜି ୱେବସାଇଟ୍‌ରେ ଅପ୍‌ଲୋଡ୍ କରିବାକୁ ମଧ୍ୟ ସେମାନଙ୍କୁ କୁହାଯାଇଛି।

ଆଜି ସମୀକ୍ଷା କରାଯାଇଥିବା ପ୍ରକଳ୍ପଗୁଡ଼ିକ ସାମ୍ନା କରୁଥିବା ଜଙ୍ଗଲ ଜମି ଅନୁମତି, କ୍ଷତିପୂରଣ ଆବଣ୍ଟନ, ସତ୍ତ୍ବାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାମ ପାଇଁ ଆଗୁଆ ଅନୁମତି, କ୍ଷତିପୂରକ ବନୀକରଣ, ବିଦ୍ୟୁତ ଓ ଟେଲିଫୋନ୍ ଟାୱାର ସ୍ଥାନାନ୍ତରୀକରଣ ଭଳି ୭୩ଟି ସମସ୍ୟାର ଅନୁଶୀଳନ କରାଯାଇ ତାହାର ସମାଧାନ ପନ୍ଥା ନିର୍ଧାରଣ କରାଯାଇଥିଲା। ଆଜିର ବୈଠକରେ ବାଂଶପାଣୀ-ଯଖପୁରା ରେଳ ଲାଇନ୍‌ର ଦୋହରୀକରଣ, ସମ୍ବଲପୁର-ତାଳଚେର ରେଳଲାଇନ୍‌ର ଦୋହରୀକରଣ, ଖୋର୍ଦ୍ଧା-ବଲାଙ୍ଗୀର ନୂଆ ବ୍ରଡ୍‌ ଗେଜ୍ ରେଳଲାଇନ୍, ତାଳଚେର-ବିମଳାଗଡ଼ ରେଳ ଲାଇନ୍ ଓ ଅନୁଗୁଳ-ସୁକିନ୍ଦା ନୂଆ ଲାଇନ୍ ଭଳି ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା ହୋଇଛି। ସେହିପରି, ୬ଟି ରାଜପଥ ପ୍ରକଳ୍ପ, ନାଲ୍‌କୋର ପଞ୍ଚମ ଷ୍ଟ୍ରିମ୍ ରିଫାଇନାରି ସମ୍ପ୍ରସାରଣ ପ୍ରକଳ୍ପ, ଭାରତ ନେଟ୍, କୋଟାମିଟା ଚୂନପଥର ଖଣି, ଡାଲ୍‌ମିଆ ଡିଏସ୍‌ପିର ପ୍ରକଳ୍ପ, ପାରାଦୀପ-ହାଇଦ୍ରାବାଦ ଉତ୍ପାଦ ପରିବହନ ପାଇପ୍‌ଲାଇନ୍, ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପ୍‌ଲାଇନ୍‌, ଏମ୍‌ସିଏଲ୍‌ର ୩ଟି ଓ ନାଲ୍‌କୋର ଦୁଇଟି କୋଇଲା ଖଣି ପ୍ରକଳ୍ପର ସମୀକ୍ଷା କରାଯାଇଛି। ଏହି ବୈଠକରେ ଅନ୍ୟ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଯୋଡ଼ି ହୋଇଥିଲେ।

ସମ୍ବନ୍ଧିତ ଖବର