ଏପ୍ରିଲ୍‌ରେ ୭୪ ଲକ୍ଷ ବେକାର, ମହାମାରୀର ଦ୍ବିତୀୟ ଲହର ପ୍ରଭାବ

୬୦ ଲକ୍ଷ କୃଷି କ୍ଷେତ୍ରରେ ନିୟୋଜିତ ଥିଲେ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ନିଯୁକ୍ତି କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଲକ୍ଷ ଲକ୍ଷ ଲୋକ ଚାକିରି ହରାଇ ବେରୋଜଗାର ହୋଇପଡ଼ିଛି। ପୁଣି ଥରେ ଗତବର୍ଷ ଭଳି ସ୍ଥିତି ଦେଖିବାକୁ ମିଳିଛି। ଘରୋଇ ସଂସ୍ଥା ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ତଥ୍ୟ ଅନୁଯାୟୀ ଏପ୍ରିଲ୍ ମାସରେ ୭୪ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏହାର ପ୍ରଭାବରେ ବେକାରୀ ହାର ୮%କୁ ବୃଦ୍ଧି ପାଇଛି। ଗତ ମାର୍ଚ୍ଚରେ ଏହି ହାର ୬.୫% ଥିଲା।

ସିଏମ୍‌ଆଇଇର ସିଇଓ ମହେଶ ବ୍ୟାସ କହିଛନ୍ତି ଯେ ଏପ୍ରିଲ୍‌ରେ ସ୍ଥିତି ଆଶା ଠାରୁ ଅଧିକ ଖରାପ ହୋଇଛି। ମାର୍ଚ୍ଚ ଭଳି ଏପ୍ରିଲ୍‌ରେ ମଧ୍ୟ ଶ୍ରମ ‌ବଜାରରେ ଶ୍ରମିକମାନଙ୍କ ଯୋଗଦାନ ସ୍ଥିର ରହିବ‌ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସ୍ଥିତି ଆହୁରି ବିଗିଡ଼ି ଯାଇଛି। ଗତ ଫେବ୍ରୁଆରି ପରଠାରୁ ଶ୍ରମିକମାନଙ୍କ ‌ଯୋଗଦାନ ହାର ହ୍ରାସ ପାଉଥିଲା। ଏପ୍ରିଲ୍‌ରେ ଏହି ହାର ୩୯.୯୮%କୁ ଖସିଛି। ୨୦୨୦ ମେ’ ପରେ ଏହା ସର୍ବନିମ୍ନ ସ୍ତରରେ ରହିଛି। ଗତବର୍ଷର କଠୋର ଲକ୍‌ଡାଉନ୍ ପରବର୍ତୀ ସମୟରେ ନିଯୁକ୍ତି ବଜାର ପାଇଁ ଚଳିତ ବର୍ଷର ଏପ୍ରିଲ୍‌ ମାସ ସବୁଠୁ ଖରାପ ସାବ୍ୟସ୍ତ ହୋଇଛି ବୋଲି ସିଏମ୍‌ଆଇଇ ପକ୍ଷରୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ନିଯୁକ୍ତିରେ ଯୋଗଦାନ ହାର ହ୍ରାସ ପାଇଛି। ମହାରାଷ୍ଟ୍ରରେ ଗତ ମାର୍ଚ୍ଚରେ ଏହି ହାର ୪୪.୨% ଥିଲା। ଏପ୍ରିଲ୍‌ରେ ତାହା ୪୦.୬%କୁ ଖସିଛି। ମାର୍ଚ୍ଚ ତୁଳନାରେ ଏପ୍ରିଲ୍‌ରେ ଶ୍ରମ ଶକ୍ତି ସଂଖ୍ୟା ୧୧ ଲକ୍ଷ ହ୍ରାସ ପାଇ ୪୨.୪୬ କୋଟିକୁ ହ୍ରାସ ପାଇଛି। ଶ୍ରମ ବଜାରରେ ଲୋକମାନେ ନିଯୁକ୍ତି ସନ୍ଧାନ କରି ବିଫଳ ହୋଇଛନ୍ତି। ଦେଶର ନିଯୁକ୍ତି ହାର ଯାହା ମାର୍ଚ୍ଚରେ ୩୭.୬% ଥିଲା ତାହା ଏପ୍ରିଲ୍‌ରେ ୩୬.୮%କୁ ହ୍ରାସ ପାଇଛି।

ଶ୍ରୀ ବ୍ୟାସ କହିଛନ୍ତି ଯେ ଲକ୍‌ଡାଉନ୍ ଯୋଗୁଁ ଯଦିଓ ଶ୍ରମ ବଜାରରେ ଶ୍ରମିକମାନଙ୍କ ଯୋଗଦାନ ହ୍ରାସ ପାଇଛି, କିନ୍ତୁ ନିଯୁକ୍ତି ଖୋଜୁଥିବା ଲୋକମାନଙ୍କୁ ଅର୍ଥନୀତି ନିଯୁକ୍ତି ଯୋଗାଇ ପାରୁନାହିଁ। ତେଣୁ ବେକାରି ସ୍ଥିତି ପାଇଁ ଲକ୍‌ଡାଉନ୍‌କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି ଯେ ଏପ୍ରିଲ୍‌ରେ ଯେଉଁ ଲୋକମାନେ ଜୀବିକା ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୬୦ ଲକ୍ଷ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ଏପ୍ରିଲ୍‌ ମାସ କୃଷି ଶ୍ରମିକମାନଙ୍କ ଲାଗି ଏକ ଖରାପ ମାସ। କାରଣ ରବି ଫସଲ ଅମଳ ହୋଇସାରିଥାଏ ଏବଂ ଖରିଫ ଫସଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇନଥାଏ। ଗତ ମାର୍ଚ୍ଚରେ କୃଷି କ୍ଷେତ୍ରରେ ୧୨ କୋଟି ଲୋକ ନିୟୋଜିତ ହୋଇଥିଲେ।

ଏପ୍ରିଲ୍ ସୁଦ୍ଧା ସେମାନଙ୍କ ସଂଖ୍ୟା ୧୧.୪ କୋଟିକୁ ହ୍ରାସ ପାଇଛି। ଏପ୍ରିଲ୍ ମାସରେ ୨ ଲକ୍ଷ ଦିନ ମଜୁରିଆ ଓ କ୍ଷୁଦ୍ର ବ୍ୟବସାୟ ଜୀବିକା ହରାଇଛନ୍ତି। କ୍ରମାଗତ ତୃତୀୟ ମାସ ଲାଗି ବେତନଭୋଗୀମାନଙ୍କ ସଂଖ୍ୟା ହ୍ରାସ ପାଇଛି। ଗତ ବର୍ଷ ମହାମାରୀ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ୧.୨୬ କୋଟି ବେତନ‌ଭୋଗୀ ଚାକିରି ହରାଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ବେତନଭୋଗୀଙ୍କ ସଂଖ୍ୟା ୮.୫୯ କୋଟି ଥିଲା। ଚଳିତ ବର୍ଷ ଏପ୍ରିଲ୍‌ରେ ସେମାନଙ୍କ ସଂଖ୍ୟା ୭.୩୩ କୋଟିକୁ ହ୍ରାସ ପାଇଛି। ବିଶେଷ କରି ଗ୍ରାମାଞ୍ଚଳରେ ଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାରେ କାମ କରୁଥିବା ଲୋକମାନଙ୍କ ଚାକିରି ଚାଲିଯାଇଛି।

ସମ୍ବନ୍ଧିତ ଖବର